୪୮ ଘଣ୍ଟା ମଧ୍ୟରେ ବିଧାନସଭା ସ୍ୱତନ୍ତ୍ର ଅଧିବେଶନ ଡାକନ୍ତୁ: ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
ଭୁବନେଶ୍ୱର: ରାଜ୍ୟରେ ଡିଲିମିଟେସନ (ସୀମା ନିର୍ଦ୍ଧାରଣ) ପ୍ରସଙ୍ଗକୁ ନେଇ ସରଗରମ ହୋଇଛି ରାଜନୀତି। ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା ପାଇଁ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହି ଅଧିବେଶନ ଡାକିବାକୁ ସେ ପ୍ରସ୍ତାବ ଦେଇଛନ୍ତି। ଡିଲିମିଟେସନ ପ୍ରସଙ୍ଗରେ ରାଜ୍ୟର ସ୍ୱାର୍ଥ ରକ୍ଷା ପାଇଁ ବିଧାନସଭାରେ ବିସ୍ତୃତ ଆଲୋଚନା ଆବଶ୍ୟକ ବୋଲି ନବୀନ ଦର୍ଶାଇଛନ୍ତି। ଅନ୍ୟପଟେ, ସଂସଦରେ ଡିଲିମିଟେସନ ବିଲକୁ ଜୋରଦାର ବିରୋଧ କରିବାକୁ ନିଷ୍ପତ୍ତି ନେଇଛି ‘ଇଣ୍ଡିଆ ବ୍ଲକ’। ଏହି ବିଲ୍ ଗଣତାନ୍ତ୍ରିକ ପ୍ରତିନିଧିତ୍ୱକୁ ଦୁର୍ବଳ କରିବାର ଆଶଙ୍କା ରହିଛି ବୋଲି ବୈଠକ ପରେ ସୂଚନା ଦେଇଛନ୍ତି ମଲ୍ଲିକାର୍ଜୁନ ଖଡଗେ। ସେ କହିଛନ୍ତି ଯେ ବିରୋଧୀ ଦଳଗୁଡିକୁ ଦମନ କରିବା ପାଇଁ ସରକାର ଏଭଳି ପଦକ୍ଷେପ ନେଉଛନ୍ତି। ବିରୋଧୀ ଦଳଗୁଡ଼ିକ ମହିଳା ସଂରକ୍ଷଣ ବିଲ୍ ପକ୍ଷରେ ଥିଲେ ମଧ୍ୟ ସରକାର ଯେଉଁ ଢଙ୍ଗରେ ଏହାକୁ ଉପସ୍ଥାପନ କରୁଛନ୍ତି, ସେଥିରେ ସେମାନଙ୍କର ଆପତ୍ତି ରହିଛି।



