ରାଜମହଲରେ ମିଳୁଛି ‘ମୋ ଖତ’

ଭୁବନେଶ୍ୱର,୯ା୮/ଏନ୍‌ଏନ୍‌ଏସ୍‌: ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପକ୍ଷରୁ ପ୍ରସ୍ତୁତ ହେଉଥିବା ‘ମୋ ଖତ’ ବିକ୍ରି ତ୍ୱରାନ୍ୱିତ କରାଯାଇଛି । ସ୍ଥାନୀୟ ରାଜମହଲ ଛକସ୍ଥିତ ‘ମୋ ଖତ ଷ୍ଟଲ’ରେ ୨୦ଟଙ୍କା ପ୍ରତି କେଜି ଦରରେ ‘ମୋ ଖତ’ ବିକ୍ରୟ ହେଉଛି । ତେବେ ଏହି ଖତ କିଣିବା ପାଇଁ ଗ୍ରାହକ ବିଶେଷ ଆଗ୍ରହ ପ୍ରକାଶ କରୁଛନ୍ତି । ସରକାରୀ ଓ ବେସରକାରୀ ସ୍ତରରେ ବନୀକରଣ ପାଇଁ ବିଏମସିଠାରୁ ଏହି ଖତ କିଣୁଛନ୍ତି । ତେବେ ସହରବାସୀ ମଧ୍ୟ ବାଡ଼ି ବଗିଚାରେ ଏହି ଖତ ବ୍ୟବହାର କରିବା ପାଇଁ ବିଏମସି ପକ୍ଷରୁ ଅପିଲ୍ କରାଯାଇଛି । ବିଭିନ୍ନ ମଲ୍ ଓ ହୋଟେଲ ପରିସର ସବୁଜୀକରଣ ପାଇଁ ବିଏମସି ଠାରୁ ‘ମୋ ଖତ’ କ୍ରୟ କରାଯାଉଛି । ପୂର୍ବରୁ ହୋଟେଲ୍ ଟ୍ରାଇଡେଣ୍ଟ, ମେ’ ଫେୟାର ସହ ଏସପ୍ଲାନେଡ୍ ଓ ଉତ୍କଳ ଗ୍ୟାଲେିଆ ଆଦି ଏହି ଖତ କ୍ରୟ କରିଛନ୍ତି ।


ରାଜଧାନୀରୁ ଦୈନିକ ପ୍ରାୟ ୪୫୦ ମେଟ୍ରିକ୍ ଟନ୍ ଆବର୍ଜନା ବାହାରୁଛି । ସେଥିମଧ୍ୟରୁ ୨୫୦ ଟନ୍ ଆବର୍ଜନା ଏମସିସି (ମାଇକ୍ରୋ କମ୍ପୋଷ୍ଟ ସେଣ୍ଟର) ଓ ଏମ୍‌ଆର୍‌ଏଫ୍ (ମ୍ୟାଟେରିଆଲ ରିକଭରି ଫ୍ୟାସିଲିଟି) ସେଣ୍ଟରକୁ ପୃଥକ ପୃଥକ ଭାବେ ନିଆଯାଇଥାଏ । ସହରରେ କାର୍ଯ୍ୟକ୍ଷମ ଥିବା ୩୨ଟି ଏମ୍‌ସିସିକୁ ନିଆଯାଇଥାଏ । ୨୦୦ ମେଟ୍ରିକ୍ ଟନ୍ ଦାରୁଠେଙ୍ଗ ସ୍ଥିତ ଡମ୍ପିଂୟାର୍ଡକୁ ନିଆଯାଉଛି । ତେବେ ବର୍ଷାଦିନ ହୋଇଥିବାରୁ ଜୈବିକ ଅଳିଆ(ଗ୍ରୀନ ଗାର୍ବେଜ) ଅଧିକ ବାହାରୁଛି । ଦୈନିକ ୭୦-୮୦ ଗ୍ରୀନ୍ ଗାର୍ବେଜ୍‌କୁ ପ୍ରକ୍ରିୟାକରଣ ଅର୍ନ୍ତଭୁକ୍ତ କରାଯାଉଛି ।

ସହରରୁ ବାହାରୁଥିବା ଆବର୍ଜନାରୁ ପ୍ରଥମେ ଜୈବିକ ଆବର୍ଜନା ପୃଥକ କରାଯାଇଥାଏ । ଏଥିରେ ଜଳୀୟ ଅଂଶ ବାହାର କରାଯାଇ ଏହାକୁ ଶୁଖାଯାଇଥାଏ । ଏଥିରେ ଏନଜାଇମ୍ ସଲ୍ୟୁସନ୍ (କୁଣ୍ଡା,ଦହି, ଗୁଡ଼ର ମିଶ୍ରଣ) ପକାଇ ଗୁଳା କରାଯାଇଥାଏ ଓ ଶୁଖାଯାଇଥାଏ । ଭଲଭାବରେ ଶୁଖିବାପରେ ବିକ୍ରୟ ପାଇଁ ପ୍ୟାକେଟ୍ କରାଯାଇଥାଏ ।

Related Articles

Leave a Reply

Your email address will not be published.

Back to top button