୨ ସନ୍ତାନଙ୍କୁ କୁରାଢ଼ିରେ ହାଣି ହତ୍ୟା କଲା ଜନ୍ମକଲା ମା

ଭୁବନେଶ୍ବର: ସଇତାନ ସାଜିଲା ମା’। ଯେଉଁ କୋଳରେ ପିଲାମାନେ ନିଶ୍ଚିନ୍ତରେ ଶୋଇବା କଥା, ସେଇ କୋଳକୁ ରକ୍ତରଞ୍ଜିତ କରିଦେଲା ଜନ୍ମଦାତ୍ରୀ। ନିଜର ଦୁଇ ନିଷ୍ପାପ ସନ୍ତାନକୁ ଟାଙ୍ଗିଆରେ ହାଣି ଅତି ନୃଶଂସ ଭାବେ ହତ୍ୟା କରିଛି ଜଣେ ମହିଳା। ଏହି ଅଭାବନୀୟ ଘଟଣାଟି ବିମାନ ବନ୍ଦର ଥାନା ଅନ୍ତର୍ଗତ ଟାଙ୍ଗରପାଲି ଗାଁରେ ଘଟିଛି। ଟାଙ୍ଗିଆ ଚୋଟରେ ଝିଅ ଜିଜ୍ଞାସା ଓ ପୁଅ ବିଭାଂଶୁଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ପରିବାରର ସମସ୍ତ ସଦସ୍ୟ ଶୋଇଥିଲେ। ମହିଳା ଜଣକ (ରଞ୍ଜିତା) ତାଙ୍କ ସ୍ୱାମୀଙ୍କୁ ଉଠାଇଥିଲେ। ସ୍ୱାମୀ ଶୌଚ ପାଇଁ ବାହାରକୁ ଯାଇଥିବା ବେଳେ ରଞ୍ଜିତା ଭିତର ପଟୁ କବାଟ ବନ୍ଦ କରି ଦେଇଥିଲେ। ଏହାପରେ ସେ ନିଜର ଦୁଇ ସନ୍ତାନଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିବା ସହ ନିଜେ ମଧ୍ୟ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ସ୍ୱାମୀ ବାହାରୁ ଫେରି କବାଟ ବନ୍ଦ ଥିବା ଦେଖି ପଡ଼ୋଶୀଙ୍କ ସହାୟତାରେ ଝରକା ଭାଙ୍ଗି ଘର ଭିତରକୁ ପଶିଥିଲେ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ରଞ୍ଜିତାଙ୍କୁ ଉଦ୍ଧାର କରାଯାଇ ପୁଲିସକୁ ଜିମା ଦିଆଯାଇଥିଲା। ପ୍ରଥମେ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଗୁରୁତର ଅବସ୍ଥାରେ ବୁର୍ଲା VIMSARକୁ ସ୍ଥାନାନ୍ତର କରାଯାଇଛି। ଉଭୟ ଶିଶୁଙ୍କ ଶବ ବ୍ୟବଚ୍ଛେଦ ପାଇଁ ପଠାଇ ଏୟାରପୋର୍ଟ ଥାନା ପୁଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି। ମହିଳା ଜଣକ କେଉଁ କାରଣରୁ ଏଭଳି ଚରମ ନିଷ୍ପତ୍ତି ନେଲେ, ସେ ନେଇ ପଚରାଉଚରା ଚାଲିଛି।

Related Articles

Leave a Reply

Your email address will not be published. Required fields are marked *

Back to top button