ଟ୍ରକ୍ରେ ଲିଫ୍ଟ ମାଗିବା ହେଲା କାଳ, ଲୁହା ରଡ୍ ପଡ଼ି ମାଆ ଓ କୁନି ପୁଅର ମୃତ୍ୟୁ

ଭୁବନେଶ୍ବର: ଲୁହା ରଡ୍ ବୋଝେଇ ଟ୍ରକରେ ଲିଫ୍ଟ ମାଗି ଆସିବା କାଳ ହୋଇଛି । ଅଧା ବାଟରେ ଟ୍ରକ ବ୍ରେକ ମାରିବାରୁ ରଡ୍ ପଡ଼ି ମାଆ ଓ ପୁଅଙ୍କ ମୃତ୍ୟୁ ହୋଇଛି । ଦିନ ମଜୁରିଆ ଭାବେ କାମ କରିବାକୁ ବାହାରକୁ ଯାଇଥିବା ବେଳେ ଘରୁକୁ ଫେରିବା ସମୟରେ ଏମିତି ଦୁଃଖଦ ଘଟଣା ଘଟିଛି । ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ମଇତାପୁର ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ, ନୀଳଗିରି ଥାନା ଶ୍ୟାମସୁନ୍ଦରପୁର ଗ୍ରାମର ବିଜୟ ସୋରେନଙ୍କ ପରିବାର ପାରାଦ୍ବୀପକୁ କାମ କରିବା ପାଇଁ ଯାଇଥିଲେ । ଚଣ୍ଡିଖୋଲରୁ ଏକ ଲୁହା ରଡ୍ ବୋଝେଇ ଟ୍ରକରେ ଲିଫ୍ଟ ଯୋଗେ ୭ ଜଣ ଡଲାରେ ବସି ଆସୁଥିଲେ । ସିମୁଳିଆ ଥାନା ମଇତାପୁର ନିକଟ ଜାତୀୟ ରାଜପଥ ଉପରେ ଥିବା ଏକ ହମ୍ସରେ ଟ୍ରକଟି ବ୍ରେକ ମାରିଦେବାରୁ ଟ୍ରକରେ ଥିବା ଲୁହା ପ୍ଲେଟ ତାଙ୍କ ଉପରେ ପଡିଯାଇଥିଲା । ଲୁହା ରଡ୍ ଖସି ମାଆ ଓ ପୁଅ ଉପରେ ବାଜି ଯାଇଥିଲା । ତୁରନ୍ତ ସେମାନଙ୍କୁ ଉଦ୍ଧାର କରି ସିମୁଳିଆ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ୭ ଜଣଙ୍କ ମଧ୍ୟରୁ ମାଆ ଓ ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ଗୋୖରୀ ହେମ୍ବ୍ରମ ଗୁରୁତର ଥିବା ଜଣାପଡିଛି ।



