ରଣକ୍ଷେତ୍ର ପାଲଟିଲା ସିଜିମାଳି: ରାସ୍ତା ନିର୍ମାଣକୁ ବିରୋଧ କରି ଭୟଙ୍କର ପଥରମାଡ଼, ୫୦ରୁ ଅଧିକ ପୋଲିସ ଆହତ

ଭୁବନେଶ୍ବର: କମ୍ପାନୀର ରାସ୍ତା ନିର୍ମାଣକୁ ନେଇ ଅଶାନ୍ତ ହୋଇପଡ଼ିଛି ରାୟଗଡ଼ା ଜିଲ୍ଲା କାଶୀପୁର ଅଞ୍ଚଳ। ମଙ୍ଗଳବାର କାଶୀପୁର ବ୍ଲକ୍ ଶାଗବାରୀ ଗାଁରେ ଖଣି ଖନନ ବିରୋଧୀ ଆନ୍ଦୋଳନକାରୀ ଓ ପୋଲିସ ମଧ୍ୟରେ ଭୟଙ୍କର ସଂଘର୍ଷ ଘଟିଛି। ଆନ୍ଦୋଳନକାରୀଙ୍କ ପଥର ମାଡ଼ରେ ରାୟଗଡ଼ା SDPO ଏବଂ ଦୁଇଜଣ ଆଇଆଇସିଙ୍କ ସମେତ ପ୍ରାୟ ୫୬ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି। ସୂଚନା ଅନୁସାରେ, ଶାଗବାରୀ ଅଞ୍ଚଳରେ ଏକ କମ୍ପାନୀ ପକ୍ଷରୁ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ସ୍ଥାନୀୟ ଲୋକେ ଏହାକୁ ତୀବ୍ର ବିରୋଧ କରିଥିଲେ। ପରିସ୍ଥିତି ସମ୍ଭାଳିବାକୁ ପୋଲିସ ବୁଝାସୁଝା କରୁଥିବା ସମୟରେ ଉତ୍ତ୍ୟକ୍ତ ଜନତା ହଠାତ୍ ପଥର ମାଡ଼ କରିଥିଲେ। ଏହି ଆକ୍ରମଣରେ ରାୟଗଡ଼ା SDPO ଗୌରୀଶଙ୍କର ସାହୁ, କାଶୀପୁର ଆଇଆଇସି ଦେବ ମଲ୍ଲିକ ଏବଂ ଅଣ୍ଡ୍ରାକଞ୍ଚ ଆଇଆଇସିଙ୍କ ସମେତ ୫୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରୁ ୭ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଅନ୍ୟମାନେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି। ଘଟଣାସ୍ଥଳରେ ଉତ୍ତେଜନା ଜାରି ରହିଥିବାରୁ ରାୟଗଡ଼ା ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣି ଏବଂ ଏସ୍ପି ସ୍ଵାତୀ ଏସ୍. କୁମାରଙ୍କ ସମେତ ବରିଷ୍ଠ ଅଧିକାରୀମାନେ ସେଠାରେ ଡେରା ପକାଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଶାଗବାରୀ ଅଞ୍ଚଳରେ BNS ଧାରା ୧୬୩ (ପୂର୍ବରୁ ୧୪୪ ଧାରା) ଜାରି କରାଯାଇଛି। ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯିବା ସହ ସମ୍ପୃକ୍ତ ଅଞ୍ଚଳରେ ପୋଲିସ ଫୋର୍ସ ମୁତୟନ କରାଯାଇଛି।



