ଚୌଦ୍ବାର ଜେଲର ସ୍ବତନ୍ତ୍ର ସେଲ୍‌ରେ କୁଖ୍ୟାତ ଡକାୟତ ରାଜା ସାହାଣୀ

ଭୁବନେଶ୍ବର: ଚୌଦ୍ବାର ଜେଲ୍‌ରୁ ଚମ୍ପଟ ମାରିଥିବା ଅନ୍ୟତମ ଅଭିଯୁକ୍ତ ରାଜା ସାହାଣୀ (୩୯)କୁ କମିସନରେଟ ପୁଲିସ ଗୁରୁବାର ଉତ୍ତରାଖଣ୍ଡର ଋଷିକେଶରୁ ଗିରଫ କରିଥିଲା। ଆଜି ତାକୁ ଭୁବନେଶ୍ବର ଅଣାଯିବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ଅପରାହ୍ଣରେ କଟକ ଜେଏମଏଫସି କୋର୍ଟରେ ହାଜର କରାଯାଇଥିଲା। ସନ୍ଧ୍ୟାରେ ତାକୁ ଚୌଦ୍ବାର ମଣ୍ଡଳ କାରାଗାର ପଠାଇ ଦିଆଯାଇଛି। ଜେଲ୍‌ରେ ରାଜାକୁ ଏକ ସ୍ବତନ୍ତ୍ର ସେଲ୍‌ରେ ରଖାଯାଇଛି। ସେଠାରେ କ୍ୟାମେରା ସହ ସେନ୍‌ସର ଲଗାଯାଇଛି। ପାଳି କରି ଜଗିବା ପାଇଁ ୩ ଜଣ ଓ ତନଖି ପାଇଁ ଅଧିକ ୨ ଜଣଙ୍କୁ ମୁତୟନ କରାଯାଇଛି। ରାଜା ପୂର୍ବରୁ ଏଠାରେ ରହିଥିବାରୁ ଜେଲ୍‌ର ଭୌଗୋଳିକ ସ୍ଥିତି ତାକୁ ବେଶ୍‌ ଜଣା। ତେଣୁ ଅନ୍ୟ ଜେଲ୍‌କୁ ତାକୁ ସ୍ଥାନାନ୍ତର କରାଯିବା ସକାଶେ ଜେଲ୍‌ କର୍ତ୍ତୃପକ୍ଷ ବିଚାରବିମର୍ଶ କରୁଛନ୍ତି। ତଦନ୍ତରେ ସହଯୋଗ ଓ ଅଧିକ ପଚରାଉଚରା ପାଇଁ ପୁଲିସ ପକ୍ଷରୁ ଅଦାଲତରେ ୭ ଦିନିଆ ରିମାଣ୍ଡ ଆବେଦନ କରାଯାଇଥିବା ଜଣାପଡ଼ିଛି। ଆଜି ଛୁଟି ଦିବସ ଥିବାରୁ ଆସନ୍ତାକାଲି ଅଦାଲତ ଖୋଲିବା ପରେ ରିମାଣ୍ଡ ଅବଧି ମଞ୍ଜୁରୀ ମିଳିବାର ସମ୍ଭାବନା ରହିଛି। ଅନ୍ୟତମ ଅଭିଯୁକ୍ତ ମଧୁକାନ୍ତକୁ ଜେରା ବେଳେ ପୁଲିସ ଅନେକ ତଥ୍ୟ ହାସଲ କରିଥିଲା। ତେବେ ରାଜା ସମ୍ପର୍କରେ ସେ ମୁହଁ ଖୋଲିନଥିଲା। ଏବେ ରାଜା ଗିରଫ ହୋଇଥିବାରୁ ସେମାନଙ୍କର କଳା ସାମ୍ରାଜ୍ୟ ଉପରୁ ପରଦା ହଟିବ ବୋଲି ପୁଲିସ ଆଶା ରଖିଛି।ପ୍ରକାଶଥାଉ କି, ଚୌଦ୍ବାର ଜେଲ୍‌ରୁ ରାଜା ଫେରାର ହେବା ପରେ କର୍ଣ୍ଣାଟକରେ ୧୦ କୋଟି ଟଙ୍କାର ସୁନା ଅଳଙ୍କାର ଲୁଟିଥିଲା। ତା’ର ସହଯୋଗୀମାନଙ୍କ ସହ ଏହି ଲୁଟ କରିଥିବା ବେଳେ ସେଠାରୁ ଫେରାର ହୋଇଯାଇଥିଲା। ଅନ୍ୟତମ ସହଯୋଗୀ ମଧୁକାନ୍ତ ରାଣା ଗିରଫ ହେବା ପରେ ରାଜା ଜାଣି ନେଇଥିଲା ପୁଲିସ ତା ପଛରେ ପଡ଼ିଛି। ସେଥିପାଇଁ ସେ କିଛିଦିନ ଅନ୍ତରରେ ସ୍ଥାନ ପରିବର୍ତ୍ତନ କରୁଥିଲା। ଉତ୍ତର ପ୍ରଦେଶ, ଦିଲ୍ଲୀ, ମୁମ୍ବଇ, ବିହାର, ଝାଡ଼ଖଣ୍ଡରେ ସେ ଅଧିକ ଦିନ ରହୁଥିଲା। କିଛିଦିନ ହେବ ସେ ଉତ୍ତରାଖଣ୍ଡରେ ରହୁଥିବା ପୁଲିସ ଜାଣିବାକୁ ପାଇଥିଲା। ଏହାପରେ ଉତ୍ତରାଖଣ୍ଡ ପୁଲିସ ସହଯୋଗରେ ଋଷିକେଶରୁ ତାକୁ ଗିରଫ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button