କଟକରୁ ଫେରାର ଉତ୍ତରାଖଣ୍ଡରୁ ଗିରଫ: ଚୌଦ୍ବାର ଜେଲ୍ରୁ ଛୁ ମାରିଥିବା ଅପରାଧୀ ରାଜା ସାହାଣୀ

ଭୁବନେଶ୍ବର: କଟକ ଚୌଦ୍ବାର ଜେଲ୍ର ପାଚେରୀ ଡେଇଁ ଛୁ ମାରିଥିବା ଦୁର୍ଦ୍ଦାନ୍ତ ଅପରାଧୀ ରାଜା ସାହାଣୀ ଗିରଫ । ଦୀର୍ଘ 6 ମାସ ପରେ ଉତ୍ତରାଖଣ୍ତରୁ ଗିରଫ ହୋଇଛି ରାଜା । ଗତବର୍ଷ ଅକ୍ଟୋବର 2 ତାରିଖ ରାତିରେ ଦୁଇ ଜଣ ଅପରାଧୀ ରାଜା ସାହାଣୀ ଓ ମଧୁକାନ୍ତ ରାଣା ଜେଲରୁ ଚମ୍ପଟ ମାରିଥିଲେ । ଉତ୍ତର ପ୍ରଦେଶର ବୃନ୍ଦାବନରୁ ମଧୁକାନ୍ତ ଧରାପଡ଼ିଥିବା ବେଳେ ଆଜି (ବୁଧବାର) ଉତ୍ତରାଖଣ୍ଡରୁ ରାଜା ଗିରଫ ହୋଇଛି । ଯାଜପୁର ଜିଲ୍ଲା ପାଣିକୋଇଲି ପଣ୍ଡା ଅଳଙ୍କାର ଲୁଟ ଘଟଣାରେ ବିହାରର ରାଜା ସାହାଣୀ ଏବଂ ମଧୁକାନ୍ତ କୁମାର ନାମକ ଦୁଇ ଜଣ ବ୍ୟକ୍ତି ସାମିଲ ଥିଲେ । ପୋଲିସ ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବା ପରେ ବିଚାରିକ ହେପାଜତରେ ଚୌଦ୍ବାର ଜେଲରେ ରଖାଯାଇଥିଲା । 2025 ଅକ୍ଟୋବର 2 ତାରିଖ ବିଳମ୍ବିତ ରାତିରେ ଦୁହେଁ ପାଚେରୀ ଡେଇଁ ଫେରାର ହୋଇଥିଲେ । ଚମ୍ପଟ ମାରିଥିବା ମଧୁକାନ୍ତ ରାଣାକୁ ଉତ୍ତର ପ୍ରଦେଶର ବୃନ୍ଦାବନରୁ ପୋଲିସ ଗିରଫ କରିଥିଲା । ଏହାସହ ଓଡି଼ଶା ପୋଲିସ ଦେଶର ବିଭିନ୍ନ ରାଜ୍ଯର ପୋଲିସ ସହାୟତାରେ ଅନ୍ୟ ଫେରାର ଅପରାଧୀ ରାଜାକୁ ଧରିବା ପାଇଁ ଜାଲ ବିଛାଇଥିଲା । ରାଜା ଉତ୍ତରାଖଣ୍ଡରେ ଥିବା ନେଇ ପୋଲିସ ଜାଣିବାକୁ ପାଇଥିଲା । ଏହି ପଳାତକ ଅପରାଧୀଙ୍କୁ ଧରିବା ପାଇଁ ଓଡ଼ିଶା ପୋଲିସ ଡୁନ୍ ପୋଲିସକୁ ସତର୍କ କରିଥିଲା । ଓଡ଼ିଶା ପୋଲିସ ରିପୋର୍ଟ କରିଥିଲା ଯେ, ଅଭିଯୁକ୍ତ ରାଜା ତ୍ରିବେଣୀ ଘାଟ ଅଞ୍ଚଳରେ ଏକ ଗୋଲ୍ଡେନ ରଙ୍ଗର ସ୍ୱିଫ୍ଟ ଡିଜାୟାର କାରରେ ଯାତ୍ରା କରୁଥିଲା ।



