ମର୍ମନ୍ତୁଦ ବସ ଦୁର୍ଘଟଣା, ୫ ମୃତ, ୧୫ ରୁ ଅଧିକ ଗୁରୁତର

ଭୁବନେଶ୍ବର: ଆଜି ବଡ଼ି ଭୋରରୁ ଭୟଙ୍କର ଦୁର୍ଘଟଣା ଘଟିଛି । 55 ଜଣ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ ଓଲଟି ପଡ଼ିବାରୁ 5 ଜଣଙ୍କ ମୃତ୍ଯୁ ହୋଇଛି । ସେହିପରି 40ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ 15 ଜଣଙ୍କ ଅବସ୍ଥା ଅତି ଗୁରୁତର ରହିଛି । ଆହତମାନଙ୍କ ମଧ୍ୟରୁ 5 ଜଣଙ୍କୁ ଭୁବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି। ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଟାକେରା ନିକଟରେ ପିଠାଖାଇ ଘାଟି ଅତିକ୍ରମ କରିବା ବେଳେ “ମା ସିଂଘେଶ୍ୱରୀ” ନାମକ ଘରୋଇ ଟୁରିଷ୍ଟ ବସ୍ଟି ଓଲଟି ପଡିଥିଲା । ବସ୍ଟି ବ୍ରହ୍ମପୁରରୁ ଯାତ୍ରୀଙ୍କୁ ନେଇ ବଲାଙ୍ଗୀର ହରିଶଙ୍କର ମନ୍ଦିର ଦର୍ଶନ ପାଇଁ ଯାଉଥିବା ବେଳେ ଦୁର୍ଘଟଣା ଘଟିଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିବା ସହ 4 ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି । ଉପମୁଖ୍ୟମନ୍ତ୍ରୀ ଓ ପରିବହନ ମନ୍ତ୍ରୀ ମଧ୍ୟ ଦୁଃଖପ୍ରକାଶ କରିଛନ୍ତି।



