ଅଭିନେତ୍ରୀ ନିକିତା ମୃତ୍ୟୁ ମାମଲା, ସ୍ବାମୀ ଲିପନ୍ ସାହୁଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ

ଭୁବନେଶ୍ବର: ବହୁଚର୍ଚ୍ଚିତ ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା ଓରଫ ନିକିତା ସନ୍ଦେହଜନକ ଭାବେ ଛାତରୁ ଖସି ପ୍ରାଣ ହରାଇବା ଘଟଣାରେ ସ୍ୱାମୀ ଲିପନ ସାହୁଙ୍କୁ ଆଜୀବନ ଜେଲ୍ ଦଣ୍ଡାଦେଶ ହୋଇଛି । କଟକ ତୃତୀୟ ଅତିରିକ୍ତ ଜିଲ୍ଲା ଦୌରାଜଜ ଲକ୍ଷ୍ମୀପ୍ରିୟା ରାୟଚୌଧୁରୀ ଆଜି ଏହି ମାମଲାର ରାୟ ପ୍ରକାଶ କରି ଏହା ଏକ ହତ୍ୟା ବୋଲି ମତଦେବା ସହ ଲିପନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଦାଲତ ତାଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଥିବା ବେଳେ ଲିପନଙ୍କ ମା’ ଅର୍ଥାତ୍ ନିକିତାଙ୍କ ଶାଶୂ କୁନ୍ତଳା ସାହୁ ଏବଂ ଶ୍ୱଶୁର ଲିଙ୍ଗରାଜ ସାହୁଙ୍କୁ ଖଲାସ କରିଦେଇଛନ୍ତି । ୨୦୧୬ ମସିହା ନଭେମ୍ବର ୨୫ରେ ନିକିତା ଓ ଲିପନ ବିବାହ କରିଥିଲେ । ନିକିତା ଧାରାବାହିକ ଅଭିନେତ୍ରୀ ଭାବେ ବେଶ୍ ଲୋକପ୍ରିୟତା ଅର୍ଜନ କରିଥିଲେ । ବିବାହ ପରେ ନିକତାଙ୍କୁ ଶାଶୂଘର ପକ୍ଷରୁ ଉଭୟ ଶାରୀରିକ ଏବଂ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଅଭିଯୋଗ ହୋଇଥିଲା । ଅଭିନୟରୁ ସେ କରୁଥିବା ଆୟକୁ ଶାଶୂଘର ଲୋକ ନେଇଯିବା ସହ ଅଧିକ ଯୌତୁକ ଦାବି କରୁଥିଲେ । କିନ୍ତୁ ନିକିତାଙ୍କ ବାପଘର ଏହି ଦାବିକୁ ପୂରଣ କରିପାରୁନଥିଲେ । ଏହି ସମୟ ମଧ୍ୟରେ ସେ ଗର୍ଭବତୀ ମଧ୍ୟ ହୋଇଥିଲେ । ସେତେବେଳେ ମଧ୍ୟ ଶାଶୂ, ଶ୍ୱଶୁରଙ୍କ ପ୍ରରୋଚନାରେ ଲିପନ ତାଙ୍କୁ ନିର୍ଯାତନା ଦେଉଥିଲେ ବୋଲି ଅଭିଯୋଗ ହୋଇଥିଲା । ୨୦୧୮ ଅଗଷ୍ଟରେ ସେ ଭୁନେଶ୍ୱରର ଏକ ହସ୍ପିଟାଲରେ ଶିଶୁ ପୁତ୍ର ଜନ୍ମ ଦେଇଥିଲେ । କିନ୍ତୁ ଶାଶୂଘର ଲୋକେ କେହି ତାଙ୍କୁ ଦେଖିବାକୁ ମଧ୍ୟ ଆସିନଥିଲେ । ନିକିତାଙ୍କ ଅନୁରୋଧ କ୍ରମେ ଲିପୁନ ତାଙ୍କୁ ଶାଶୂଘରକୁ ନେଇଥିଲେ । କିନ୍ତୁ ସେଠାରେ ପୁଣି ନିର୍ଯାତନା ଆରମ୍ଭ ହୋଇଥିଲା । ୨୦୧୯ ଜାନୁଆରୀ ୪ ତାରିଖରେ ସଂଧ୍ୟାରେ ନିକିତାଙ୍କୁ ଲିପନ ଛାତ ଉପରକୁ ଡାକି ନେଇଥିଲେ । କିନ୍ତୁ ରାତି ପ୍ରାୟ ୧୦ଟା ୧୫ସମୟରେ ନିକିତା ଛାତରୁ ତଳକୁ ଗଳି ପଡ଼ିଥିଲେ । ଗୁରୁତର ଅବସ୍ଥାରେ ନିକିତାଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ପରଦିନ ରାତିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଲିପନ ଏବଂ ତାଙ୍କ ପିତା, ମାତାଙ୍କ ନାମରେ ଚାଉଳିଆଗଞ୍ଜ ଥାନାରେ ଏତଲା ଦାଏର କରିଥିଲେ ନିକିତାଙ୍କ ବାପା । ମାମଲାର ତଦନ୍ତ କରି ପୁଲିସ୍ ଲିପନ ଏବଂ ତାଙ୍କ ପରିବାର ଲୋକଙ୍କ ନାମରେ ମାମଲା ରୁଜୁ କରିବା ସହ ଚାର୍ଜସିଟ୍ ମଧ୍ୟ ଦାଖଲ କରିଥିଲା । ବିଭିନ୍ନ ସାକ୍ଷ୍ୟ ଏବଂ ପ୍ରମାଣକୁ ଆଧାର କରି ଅଦାଲତ ଏହା ଏକ ହତ୍ୟା ମାମଲା ବୋଲି ମତଦେବା ସହ ଲିପନକୁ ଆଜୀବନ ଜେଲ୍ ଦଣ୍ଡାଦେଶ ଦେଇଛନ୍ତି । ଅଦାଲତ ତାଙ୍କ ଆଦେଶରେ କହିଛନ୍ତି ଯେ, ଯଦିଓ ଏହି ଘଟଣାରେ କେହି ପ୍ରତ୍ୟକ୍ଷଦର୍ଶୀ ନାହାନ୍ତି କିନ୍ତୁ ଉଭୟଙ୍କୁ ଶେଷ ଥର ପାଇଁ ପଡ଼ୋଶୀମାନେ ଦେଖିଥିଲେ । ଅପରପକ୍ଷରେ ଲିପନ, ନିକିତାଙ୍କ ମୃତ୍ୟୁ ସମ୍ପର୍କରେ କୌଣସି ସ୍ପଷ୍ଟ ଜବାବ ରଖିପାରିନାହାନ୍ତି । ଯେହେତୁ ଲିପନ, ନିକିତାଙ୍କ ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ଉତ୍ତର ରଖିପାରିନାହାନ୍ତି । ଏବଂ ନିକିତାଙ୍କ ମୃତ୍ୟୁ ପୂର୍ବରୁ ଉଭୟଙ୍କୁ ଶେଷଥର ପାଇଁ ଏକତ୍ର ଦେଖିବାକୁ ମିଳିଛି ସେହି ଆଧାରରେ ଅଦାଲତ ଲିପନକୁ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି ବୋଲି ଆଦେଶରେ ଉଲ୍ଲେଖ କରିଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଅତିରିକ୍ତ ପିପି ଏମ୍. ସ୍ୱାଇଁ ଏବଂ ନିକିତାଙ୍କ ପରିବାର ପକ୍ଷରୁ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ମାମଲା ପରିଚାଳନା କରୁଥିଲେ ।



