ଓଡ଼ିଶା ହେବ ମଡେଲ ରାଜ୍ୟ: ପଟ୍ଟାରେ ରହିବ QR କୋଡ୍, ଜମି କିଣାବିକାରେ ହେବନି ଠକେଇ

ଭୁବନେଶ୍ୱର: ଜମି କାରବାରରେ ଠକେଇ ରୋକିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛନ୍ତି ରାଜ୍ୟ ସରକାର । ପ୍ରମୁଖ ପଦକ୍ଷେପ ସ୍ୱରୂପ ଓଡ଼ିଶା ସରକାର କ୍ୟୁଆର କୋଡ୍ ଯୁକ୍ତ ଜମି ପଟ୍ଟା ଖୁବଶୀଘ୍ର ଆଣିବାକୁ ଯାଉଛନ୍ତି । ପଟ୍ଟାରେ ଥିବା କ୍ୟୁଆର କୋଡ୍ କୁ ସ୍କାନ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ । ଇସି ବାହାର କରିବା ପାଇଁ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଜାଲିଆତି କଲେ ତହସିଲଦାର ଏବଂ ଆରଆଇଙ୍କ ପାଖକୁ ସିଧା ସଳଖ ଯିବ ମ୍ୟାସେଜ୍ । ପ୍ଲଟ କିଣାବିକାରେ ଠକେଇକୁ ଦୂର କରିବା ପାଇଁ ଏହି ବ୍ୟବସ୍ଥା ଡିଜାଇନ ହୋଇଥିବା ସୂଚନା ଦେଇଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ । ରାଜ୍ୟରେ କମିବ ଜମି ଜମା କିଣାବିକା ଠକେଇ । ଜମି ମାଲିକାନାରେ ଆସିବ ସ୍ବଚ୍ଛତା । ଇସି ଜରିଆରେ ଜମିଜମା ମାଲିକାନା ଜାଣିବା ପାଇଁ ଆଉ କରିବାକୁ ପଡିବ ନାହିଁ ଅପେକ୍ଷା । ଜମି ପଟ୍ଟାରେ ରହିବ ଇଲୋକ୍ଟ୍ରୋନିକ ଯୁକ୍ତ QR କୋଡ୍ । ସ୍କାନ କଲେ ବାହାରିବ ଜମି ମାଲିକଙ୍କ ସମ୍ପୂର୍ଣ୍ଣ ତଥ୍ୟ । ଜାଲିଆତି କଲେ ତହସିଲଦାର ଏବଂ ଆରଆଇଙ୍କ ପାଖକୁ ସିଧା ମ୍ୟାସେଜ ଯିବ । ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, “ନୂଆ ପଟ୍ଟା ଆସୁଛି । ମୋଟ କାଗଜର ପୁରୁଣା ପଟ୍ଟାରେ ଦୁଇ ପାଖ ଥିଲା । ସେଥିରେ ପ୍ରଜାର ନାଁ ବା ଜମି ମାଲିକ, ଜମି କିସମ କ’ଣ, ଜମିର ପରିମାଣ ଓ ମନ୍ତବ୍ୟ କଲମ ରହିଥିଲା । ବର୍ତ୍ତମାନ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ମିଳିତ ଉଦ୍ୟମରେ ନୂଆ ପଟ୍ଟା ବ୍ୟବସ୍ଥା ହେଉଛି । ସେହି ପଟ୍ଟା ଇଲୋକ୍ଟ୍ରୋନିକ QR କୋଡ୍ ଯୁକ୍ତ ହେବ । ପଟ୍ଟାରେ QR କୋଡକୁ ସ୍କାନ କଲେ ସେହି ନିର୍ଦ୍ଦିଷ୍ଟ ଜମିର 50ରୁ 100 ବର୍ଷର ଅତୀତ ଜଣାପଡ଼ିବ । ଉକ୍ତ ଜମିର ସେଟେଲମେଣ୍ଟ ସମୟରେ କ’ଣ ହୋଇଥିଲା, କିଏ କାହାକୁ ବିକିଛି ତାହାର ତଥ୍ୟ ମିଳିଯିବ । ଜମିର ମାଲିକାନା ଜାଣିବା ପାଇଁ ଆଉ ଇସି ଆବେଦନ କରିବାକୁ ପଡ଼ିବନାହିଁ ।”



