ସହରାଞ୍ଚଳରେ ଖାଲି ପଡିଥିବା ସରକାରୀ ଗୃହକୁ ସୁଲଭ ମୂଲ୍ୟରେ ଭଡ଼ା ଦେବେ ରାଜ୍ୟ ସରକାର

ଭୁବନେଶ୍ୱର: ସହରାଞ୍ଚଳର ଗରିବ, ପ୍ରବାସୀ ଶ୍ରମିକ ଓ ଶ୍ରମଜୀବୀ ଜନସାଧାରଣଙ୍କ ପାଇଁ ସୁଲଭ ଆବାସ ସୁବିଧା ବଢ଼ାଇବା ଦିଗରେ ଓଡ଼ିଶା ସରକାର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ଅଧୀନରେ ସହରାଞ୍ଚଳରେ ଥିବା କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଖାଲି ଏବଂ ଅବ୍ୟବହୃତ ଘରଗୁଡ଼ିକୁ ଚିହ୍ନଟ କରି ସେଗୁଡ଼ିକୁ ସୁଲଭ ଭଡ଼ା ଗୃହ ରେ ପରିଣତ କରିବା ପ୍ରକ୍ରିୟା ଆରମ୍ଭ ହୋଇଛି। ଏହି ପଦକ୍ଷେପ ଅନୁସାରେ ନଗର ଉନ୍ନୟନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀମତୀ ଉଷା ପାଢ଼ୀ, ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗକୁ ପତ୍ର ଲେଖି ସେମାନଙ୍କ ଅଧୀନରେ ଥିବା ଏହିପରି ଖାଲି ଓ ଅବ୍ୟବହୃତ ସରକାରୀ ଗୃହ ଚିହ୍ନଟ କରିବାକୁ ଅନୁରୋଧ କରିଛନ୍ତି। ଚିହ୍ନଟ ହୋଇଥିବା ସମ୍ପତ୍ତି ସମ୍ପର୍କିତ ତଥ୍ୟଗୁଡ଼ିକୁ ଓଡ଼ିଶା ଅର୍ବାନ ହାଉସିଂ ମିଶନକୁ ପ୍ରଦାନ କରିବା ପାଇଁ ସମସ୍ତ ବିଭାଗକୁ କୁହାଯାଇଛି। ଏହି ତଥ୍ୟ ସଂଗ୍ରହ ପ୍ରକ୍ରିୟା ସମାପ୍ତ ପରେ ଚିହ୍ନଟ ଗୃହଗୁଡ଼ିକୁ ପୁନଃନିର୍ମାଣ/ମରାମତି କରି ବାସୋପଯୋଗୀ କରାଯିବ ଏବଂ ପର୍ଯ୍ୟାୟକ୍ରମେ ସେଗୁଡ଼ିକୁ ଭଡ଼ା ଆବାସ ଭାବରେ ଉପଲବ୍ଧ କରାଯିବ।ସହରୀକରଣ ପ୍ରକ୍ରିୟାରେ ଗୃହ ଏକ ମୌଳିକ ଆବଶ୍ୟକତା ଓ ଜୀବନଧାରଣର ମୁଖ୍ୟ ଉପାଦାନ। ସୁରକ୍ଷିତ ଘର ପରିବାରର ସ୍ୱାସ୍ଥ୍ୟ, ଶିକ୍ଷା, ସାମାଜିକ ସୁରକ୍ଷା ଏବଂ ଆର୍ଥିକ ସ୍ଥିରତା ଉପରେ ସିଧାସଳଖ ପ୍ରଭାବ ପକାଏ। ଏହି ଯୋଜନାର ମୂଳ ଆଭିମୁଖ୍ୟ ହେଉଛି ଯେଉଁମାନେ ତୁରନ୍ତ ଘର କିଣିବା ଅବସ୍ଥାରେ ନାହାଁନ୍ତି, ସେମାନଙ୍କ ପାଇଁ ଭଡ଼ା ମାଧ୍ୟମରେ ସୁଲଭ ଗୃହ ସୁବିଧା ଯୋଗାଇଦେବା। ଏହା ଫଳରେ ସହରାଞ୍ଚଳରେ ଅସ୍ଥାୟୀ ଓ ଅସୁରକ୍ଷିତ ବାସସ୍ଥାନ ଉପରେ ନିର୍ଭରଶୀଳତା ହ୍ରାସ ପାଇବ ଏବଂ ଶ୍ରମଜୀବୀ ପରିବାରମାନଙ୍କ ଜୀବନ ଅଧିକ ସ୍ଥିର ହେବ।



