ବାଣ ତିଆରି ବେଳେ ଭୟଙ୍କର ବିସ୍ଫୋରଣ: ଜଣଙ୍କର ମୃତ୍ୟୁ

ଭୁବନେଶ୍ବର: କଟକ ସଦର ଥାନା ଅନ୍ତର୍ଗତ ଖଲର୍ଦ୍ଦା ହାତୀଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ରବିବାର ଦିନ ବାଣ ତିଆରି ବେଳେ ହଠାତ୍ ବିସ୍ଫୋରଣ ଘଟି ଜଣେ ବ୍ୟକ୍ତିଙ୍କର ପ୍ରାଣହାନି ଘଟିଥିବା ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳିଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ହାତୀଗଡ଼ ନିବାସୀ ବଇନ ସାମଲଙ୍କ ବାସଭବନରେ ବାଣ ତିଆରି ଚାଲିଥିବା ବେଳେ ଏହି ଭୟଙ୍କର ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ତୀବ୍ରତା ଏତେ ଅଧିକ ଥିଲା ଯେ ଘରର ଆଜବେଷ୍ଟସ୍ ଛାତ ଉଡ଼ିଯିବା ସହ କାନ୍ଥ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ସୁରେଶ ଭୋଇ ନାମକ ଜଣେ ୫୨ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି। ଘଟଣା ସମୟରେ ବାଣ ତିଆରିରେ ବ୍ୟବହୃତ ବାରୁଦରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା, ଯାହା ଫଳରେ ଏହି ଅଘଟଣ ଘଟିଥିବା ସନ୍ଦେହ କରାଯାଉଛି। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। କଟକ ସଦର ଥାନା ପୋଲିସ ମଧ୍ୟ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି। ବୈକୁଣ୍ଠ ସାମଲଙ୍କ ଘରେ ବେଆଇନ ଭାବେ ବାଣ ତିଆରି ଚାଲିଥିଲା କି ନାହିଁ ଏବଂ ଏଥିପାଇଁ କୌଣସି ଅନୁମତି ଥିଲା କି ନାହିଁ, ସେ ନେଇ ପୋଲିସ ଅଧିକ ଖୋଳତାଡ଼ କରୁଛି।



