ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ପାଠପଢା ସହିତ ଦକ୍ଷତା ଶିକ୍ଷା, ଜନଜାତି ଅଞ୍ଚଳରେ ବଡ଼ ପରିବର୍ତ୍ତନ ଆଣିବ- ଧର୍ମେନ୍ଦ୍ର ପ୍ରଧାନ

ଭୁବନେଶ୍ବର: ଇଂରାଜୀ ନୂଆବର୍ଷର ଶୁଭ ଅବସରରେ ମାନ୍ୟବର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁଙ୍କ କରକମଳରେ ଆଜି ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଠାରେ ଇଗ୍ନୋ ଆଞ୍ଚଳିକ କେନ୍ଦ୍ର ଏବଂ ଇଗ୍ନୋ ଦକ୍ଷତା କେନ୍ଦ୍ର ଆଭାସୀ ମାଧ୍ୟମରେ ଉଦଘାଟନ ହୋଇଯାଇଛି । ଭାରତ ସରକାରଙ୍କ ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରଣାଳୟ ପକ୍ଷରୁ ସ୍କିଲିଂ ଫର୍ ଏଆଇ ରିଡନେସ୍(ସୋର୍) ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅଧୀନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜର ଅଭିଭାଷଣ ରଖି କହିଛନ୍ତି ଯେ ରାଇରଙ୍ଗପୁରରେ ଇଗ୍ନୋର ଏହି ନୂତନ କେନ୍ଦ୍ର ପ୍ରତିଷ୍ଠା ଦ୍ୱାରା ସମାଜରେ ରୋଜଗାର ଓ ଉଦ୍ୟମିତା ବୃଦ୍ଧି ପାଇବ । ପ୍ରଥମ ଥର ପାଇଁ ଇଗ୍ନୋ ମାଧ୍ୟମରେ ଶିକ୍ଷା ସହିତ ଦକ୍ଷତା ଶିକ୍ଷା ପ୍ରଦାନ କରାଯିବ, ଯାହା ଏକ ବଡ଼ ପରିବର୍ତ୍ତନ ଆଣିବ । ମାନ୍ୟବର ରାଷ୍ଟ୍ରପତି ଜଣେ ଶିକ୍ଷୟିତ୍ରୀ ଭାବେ ନିଜ ଜୀବନର ମୂଲ୍ୟବୋଧ ଓ ସମ୍ମାନର ପରିଚୟ ଦେଇଛନ୍ତି । ତାଙ୍କ ମାର୍ଗଦର୍ଶନରେ ଏହି କେନ୍ଦ୍ରଗୁଡ଼ିକ ସମାଜର ଅନ୍ତିମ ଶ୍ରେଣୀରେ ଥିବା ଲୋକମାନଙ୍କୁ ବିଶେଷ ଭାବେ ଉପକୃତ କରିବ । ସେ କହିଛନ୍ତି ଯେ, ମୟୂରଭଞ୍ଜର ପ୍ରାକୃତିକ ସମ୍ପଦ, ବନସ୍ପତି ଓ ଶ୍ରମଶକ୍ତିର ସଠିକ୍ ବିନିଯୋଗ ପାଇଁ ସ୍ଥାନୀୟ ଜନଜାତି ଓ ଗ୍ରାମୀଣ ଜନସାଧାରଣଙ୍କୁ ଏଆଇ ଏବଂ ଆଧୁନିକ ଟେକ୍ନୋଲୋଜି ସହିତ ଯୋଡ଼ାଯିବ । ଏହା ସେମାନଙ୍କ କ୍ଷମତା ବୃଦ୍ଧି କରିବାରେ ସହାୟକ ହେବ ।



