ଆରମ୍ଭ ହେଲା ରାଜ୍ୟ ପୁସ୍ତକ ମେଳା, ଡିସେମ୍ବର ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ

ଭୁବନେଶ୍ବର: ଓଡ଼ିଆ ଭାଷା ଭାରତବର୍ଷର ଅନ୍ୟତମ ପୁରାତନ ଭାଷା । ଖ୍ରୀଷ୍ଟପୂର୍ବ ପ୍ରଥମ ଶତାବ୍ଦୀର ହାତୀଗୁମ୍ଫା ଶିଳାଲିପି, ତୃତୀୟ ଶତାବ୍ଦୀର ଧଉଳୀ ଓ ଜଉଗଡର ପ୍ରାଚୀନ ଅଭିଲେଖ, ପୁରୁଣା ପୋଥି, ତାମ୍ରଫଳକ ଓ ତାଳପତ୍ର ପୋଥିରୁ ଆମ ଓଡ଼ିଆ ଭାଷା କେତେ ପ୍ରାଚୀନ ତାହା ପ୍ରମାଣିତ ହୋଇଛି । ଆମର ଏହି ପ୍ରାଚୀନ ଭାଷା ସାହିତ୍ୟକୁ ବିକାଶ ଓ ରୁଦ୍ଧିମନ୍ତ କରିବା ଦାୟିତ୍ୱ ଆମର ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝି ସପ୍ତମ ଓଡ଼ିଶା ରାଜ୍ୟ ପୁସ୍ତକ ମହୋତ୍ସବ- ୨୦୨୫ର ଉଦ୍ଘାଟନୀ ଅବସରରେ କହିଛନ୍ତି । ଭୁବନେଶ୍ୱର ୟୁନିଟ – ୩ ପ୍ରଦର୍ଶନୀ ପଡ଼ିଆରେ ଶନିବାରଠାରୁ ଆରମ୍ଭ ହୋଇଛି ଏହି ପୁସ୍ତକ ମହୋତ୍ସବ। ଡିସେମ୍ୱର ୬ ରୁ ୧୭ ତାରିଖ ଯାଏଁ ଏହା ଚାଲିବ । ଚଳିତ ବର୍ଷ ଏହି ମହୋତ୍ସବରେ ୫୫୦ ଟି ଷ୍ଟଲ ଖୋଲାଯାଇଛି । ଏଥିସହିତ ବରପୁତ୍ରମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ପାଭିଲିଅନ ପ୍ରସ୍ତୁତ କରାଯାଇଛି । ମୁଖ୍ୟମନ୍ତ୍ରୀ ଏହି ମହୋତ୍ସବକୁ ଉଦ୍ଘାଟନ କରି ଷ୍ଟଲ ବୁଲି ଦେଖିଥିଲେ ଓ ପୁସ୍ତକ କ୍ରୟ କରିଥିଲେ । ଏଥିସହିତ ବରପୁତ୍ରମାନଙ୍କ ପାଇଁ ଉଦ୍ଦିଷ୍ଟ ପାଭିଲିଅନରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଉପସ୍ଥିତ ସାହିତ୍ୟିକ, ଲେଖକ ଓ ପୁସ୍ତକପ୍ରେମୀଙ୍କୁ ଉଦ୍ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପୁସ୍ତକ ସଂଗ୍ରହ ଓ ପଠନ ପ୍ରତି ତାଙ୍କର ବିଶେଷ ରୁଚି ରହିଛି । ଏ ପର୍ଯ୍ୟନ୍ତ ପ୍ରାୟ ୫୦୦୦ ରୁ ୬୦୦୦ ପର୍ଯ୍ୟନ୍ତ ପୁସ୍ତକ ସଂଗ୍ରହ କରି ଲାଇବ୍ରେରୀ ଆକାରରେ ରଖିଛନ୍ତି ଏବଂ ସମୟ ପାଇଲେ ତାକୁ ପଢ଼ୁଛନ୍ତି । ପିଲାମାନଙ୍କୁ ଆହ୍ୱାନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ପୁସ୍ତକ ପଠନ ମାଧ୍ୟମରେ ଆମ ଅବହେଳିତ ତଥା ଅନାଲୋଚିତ ବରପୁତ୍ର ମାନଙ୍କ ବିଷୟରେ ଆମେ ଜାଣିପାରିବା । ଲେଖକମାନଙ୍କୁ ଆହ୍ୱାନ ଦେଇ କହିଲେ ଯେ, ଏହି ଅନାଲୋଚିତ ବରପୁତ୍ର ମାନଙ୍କ ବିଷୟରେ ଅଧିକରୁ ଅଧିକ ତଥ୍ୟ ସଂଗ୍ରହ କରି ପୁସ୍ତକ ମାଧ୍ୟମରେ ସେମାନଙ୍କୁ ଲୋକଲୋଚନକୁ ଆଣନ୍ତୁ । ମୁଖ୍ୟମନ୍ତ୍ରୀ ଡକ୍ଟର ପ୍ରତିଭା ରାୟଙ୍କ ଯାଜ୍ଞସେନୀ ପୁସ୍ତକର ପ୍ରଂଶସା କରି କହିଥିଲେ ଯେ, ଏହି ମହାନ୍ ସାରସ୍ୱତ ସାଧକ ଆଜି ଯେଉଁ ଆହ୍ୱାନ ଦେଲେ ତାହା ଆମ ସମାଜ ପାଇଁ ଏକ ବଡ଼ ସନ୍ଦେଶ । ଆଜିଠାରୁ ମୁଁ ମଧ୍ୟ ପୁସ୍ତକକୁ ଉପହାର ସ୍ୱରୂପ ସମସ୍ତଙ୍କୁ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନେଲି। ମୋର ଅନୁରୋଧ, ଆପଣମାନେ ସମସ୍ତେ ମଧ୍ୟ ପୁସ୍ତକ କିଣନ୍ତୁ ଓ ଉପହାର ଦିଅନ୍ତୁ । ଫୁଲ ଉପହାର ଦେଲେ ତାହା ମଉଳି ନଷ୍ଟ ହୋଇଯାଇଥାଏ କିନ୍ତୁ, ପୁସ୍ତକ ଦିନକୁ ଦିନ ଆମର ଚେତନାକୁ ଆହୁରି ଜାଗ୍ରତ କରିଥାଏ । ସମସ୍ତେ ଯଦି ଏହାକୁ ଗ୍ରହଣ କରିବେ, ତେବେ ପାଠକ ସଂଖ୍ୟା ବଢ଼ିବ ଏହାଦ୍ୱାରା ଲେଖକ ମଧ୍ୟ ଉତ୍ସାହିତ ହେବେ ଏବଂ ଆମ ଓଡ଼ିଆ ଭାଷା ସାହିତ୍ୟରେ ଏକ ନୂଆ ସମ୍ଭାବନା ସୃଷ୍ଟି ହେବ।



