ଏଲଜେପିରେ ଦାଦା-ପୁତୁରା ଲଢ଼େଇକୁ ନେଇ ବହିଷ୍କାର ପର୍ବ

ନୂଆଦିଲ୍ଲୀ: ସ୍ବର୍ଗତ ରାମବିଳାସ ପାଶୱାନଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ଲୋକ ଜନଶକ୍ତି ପାର୍ଟି (ଏଲଜେପି) ତିଷ୍ଠି ରହିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଏଲଜେପିରେ ସୃଷ୍ଟି ହୋଇଥିବା ସଙ୍କଟ ମଙ୍ଗଳବାର ଅଧିକ ଘନୀଭୂତ ହୋଇଛି। ରାମବିଳାସଙ୍କ ପରଲୋକ ପରେ ଦଳର ସଭାପତି ଭାବେ କାର୍ଯ୍ୟ କରୁଥିବା ପୁଅ ଚିରାଗ ପାଶୱାନ ଦଳର ୫ ଜଣ ବିଦ୍ରୋହୀ ସାଂସଦଙ୍କୁ ପ୍ରାଥମିକ ସଦସ୍ୟ ପଦରୁ ବହିଷ୍କାର କରିଛନ୍ତି। ଦାଦା ପଶୁପତି କୁମାର ପାରସଙ୍କ ସମେତ ୫ ସାଂସଦଙ୍କୁ ଦଳରୁ ବହିଷ୍କାର କରିଛନ୍ତି। ମଙ୍ଗଳବାର ଦଳର ଜାତୀୟ କାର୍ଯ୍ୟକାରିଣୀର ନିଷ୍ପତ୍ତି ଅନୁସାରେ ଚିରାଗଙ୍କୁ କ୍ଷମତା ହସ୍ତାନ୍ତର କରାଯିବା ପରେ ସେ ଏହି କଠୋର ପଦକ୍ଷେପ ନେଇଛନ୍ତି। ଏହାପରେ ଚିରାଗ କହିଛନ୍ତି ଯେ ସେ ଦଳକୁ ଏକାଠି ରଖିବାରେ ବିଫଳ ହେଲେ। ସେଥିପାଇଁ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଲେ ବୋଲି କହିଛନ୍ତି।

ଅନ୍ୟପକ୍ଷରେ ଚିରାଗଙ୍କୁ ଦିନକ ପୂର୍ବରୁ ସଂସଦୀୟ ଦଳର ନେତା ପଦରୁ ହଟାଯାଇଥିଲା ବେଳେ ଦଳର ୫ ସାଂସଦ ମଙ୍ଗଳବାର ତାଙ୍କୁ ଦଳର ସଭାପତି ପଦରୁ ହଟାଇ ଦିଆଗଲା ବୋଲି ବି ଘୋଷଣା କରିଛନ୍ତି। ଫଳରେ ଏଲଜେପିର ଭବିଷ୍ୟତକୁ ନେଇ ଘୋର ସଙ୍କଟ ଦେଖା ଦେଇଛି। ସ୍ବର୍ଗତ ରାମବିଳାସ ପାଶୱାନ ଲୋକ ଜନଶକ୍ତି ପାର୍ଟି ଗଠନ କରି ଏନଡିଏରେ ସାମିଲ ହୋଇ ରାଜ୍ୟରେ ୬ ଜଣ ସାଂସଦଙ୍କୁ ଜିତାଇବାରେ ସଫଳ ହୋଇଥିଲେ। ଆଉ ସେ ନିଜେ ମୋଦୀ କ୍ୟାବିନେଟରେ ଜଣେ ପ୍ରମୁଖ ସଦସ୍ୟ ଭାବେ କାର୍ଯ୍ୟ କାରି ଆସିଥିଲେ। ମାତ୍ର ତାଙ୍କ ଦେହାନ୍ତ ପରେ ପୁଅ ଚିରାଗଙ୍କର ବିଜେପି ପ୍ରତି ସମର୍ଥନ ଓ ଏପଟେ ଦାଦା ପଶୁପତିଙ୍କର ମୁଖ୍ୟମନ୍ତ୍ରୀ ନୀତିଶଙ୍କ ପ୍ରତି ମୋହ ଦଳକୁ ଦୁଇ ଭାଗ କରିଛି। ଆଗକୁ ଏହି ଦଳର ଭାଗ୍ୟ କ’ଣ ହେବ ଏହାକୁ ନେଇ ସଂଶୟ ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published.

Back to top button