ବିହାରର ପ୍ରତ୍ୟେକ ପରିବାରକୁ ସରକାରୀ ଚାକିରି ଦେବୁ: ତେଜସ୍ୱୀ ଯାଦବ

ନୂଆଦିଲ୍ଲୀ: ବିହାର ନିର୍ବାଚନ ପାଇଁ ଚାଲିଛି କସରତ । ଏହାରି ଭିତରେ ରାଷ୍ଟ୍ରୀୟ ଜନତା ଦଳ ପାଇଁ ତେଜସ୍ୱୀ ଯାଦବ ଗୁରୁବାର ପାଟନାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଇ ଘୋଷଣା କରିଛନ୍ତି ଯେ ଆସନ୍ତା ମାସରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ମହାଗଠବନ୍ଧନ କ୍ଷମତାକୁ ଆସିଲେ ବିହାରର ପ୍ରତ୍ୟେକ ଘରୁ ଜଣେ ସରକାରୀ ଚାକିରି ନଥିବା ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯିବ । ସରକାର ଗଠନ କରିବାର ୨୦ଦିନ ମଧ୍ୟରେ ନିଯୁକ୍ତି ସୁନିଶ୍ଚିତ କରିବା ପାଇଁ ଏକ ନୂତନ ଆଇନ ପ୍ରଣୟନ କରାଯିବ। ସେ ଆହୁରି ମଧ୍ୟ କହିଛନ୍ତି ଯେ ଦାୟିତ୍ୱ ଗ୍ରହଣ କରିବାର ୨୦ମାସ ମଧ୍ୟରେ ଏହି ଯୋଜନା ସମଗ୍ର ରାଜ୍ୟରେ ସମ୍ପୂର୍ଣ୍ଣ ଭାବରେ କାର୍ଯ୍ୟକାରୀ ହେବ। “ଆମର ସରକାର କ୍ଷମତାକୁ ଆସିବା ପରେ ଆମେ ସୁନିଶ୍ଚିତ କରିବୁ ଯେ ପ୍ରତ୍ୟେକ ପରିବାରରେ ଜଣେ ସରକାରୀ ଚାକିରିଆ ରହିବେ। ସରକାର ଗଠନ କରିବାର ୨୦ଦିନ ମଧ୍ୟରେ ଆମେ ଏଥିପାଇଁ ଏକ ନୂତନ ଆଇନ କରିବୁ, ଏବଂ ୨୦ମାସ ମଧ୍ୟରେ ଗୋଟିଏ ବି ଘର ସରକାରୀ ଚାକିରି ବିନା ରହିବ ନାହିଁ,” ଯାଦବ କହିଛନ୍ତି। ବିହାର ବିଧାନସଭାର ବିରୋଧୀ ଦଳ ନେତା କହିଛନ୍ତି ଯେ ତାଙ୍କର ପ୍ରତିଶ୍ରୁତି ତଥ୍ୟ ଦ୍ୱାରା ସମର୍ଥିତ। ସେ ଆହୁରି କହିଛନ୍ତି ଯେ ବିହାରର ଲୋକମାନେ ଏଥର ପରିବର୍ତ୍ତନ ଚାହୁଁଛନ୍ତି। “ସାମାଜିକ ନ୍ୟାୟ ସହିତ, ଆମେ ବିହାରର ଲୋକଙ୍କ ପାଇଁ ଅର୍ଥନୈତିକ ନ୍ୟାୟ ମଧ୍ୟ ସୁନିଶ୍ଚିତ କରିବୁ।ନଭେମ୍ବରରେ ହେବାକୁ ଥିବା ବିହାର ବିଧାନସଭା ନିର୍ବାଚନ ପୂର୍ବରୁ ଏହି ଘୋଷଣା କରାଯାଇଛି। ୨୪୩ ଆସନ ବିଶିଷ୍ଟ ବିଧାନସଭାରେ ନଭେମ୍ବର ୬ ଏବଂ ୧୧ ତାରିଖରେ ଦୁଇଟି ପର୍ଯ୍ୟାୟରେ ଭୋଟ୍ ନିଆଯିବ। ଭୋଟ୍ ଗଣତି ନଭେମ୍ବର ୧୪ ତାରିଖରେ କରାଯିବ।