ନଭି ମୁମ୍ବାଇର ଅନ୍ତର୍ଜାତୀୟ ବିମାନବନ୍ଦର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନଭି ମୁମ୍ବାଇ ଅନ୍ତର୍ଜାତୀୟ ବିମାନବନ୍ଦରର ଉଦଘାଟନ କରି, ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଶୁଭାରମ୍ଭ ଏବଂ ଲୋକାର୍ପଣ କରିଛନ୍ତି। ସମସ୍ତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କୁ ସ୍ୱାଗତ କରି, ପ୍ରଧାନମନ୍ତ୍ରୀ ଉପସ୍ଥିତ ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇଥିଲେ। ସେ ଏବେ ପାଳିତ ହୋଇଥିବା ବିଜୟା ଦଶମୀ ଏବଂ କୋଜାଗରୀ ପୂର୍ଣ୍ଣିମା ସମ୍ପର୍କରେ କହିଥିଲେ ଏବଂ ଆଗାମୀ ଦୀପାବଳି ଉତ୍ସବ ପାଇଁ ମଧ୍ୟ ଶୁଭେଚ୍ଛା ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ କହିଥିଲେ ଯେ , ମୁମ୍ବାଇର ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟିଛି, ସହରରେ ଏବେ ଦ୍ୱିତୀୟ ଅନ୍ତର୍ଜାତୀୟ ବିମାନବନ୍ଦର ହେବା ସହିତ, ଏହି ବିମାନବନ୍ଦର ଏହି ଅଞ୍ଚଳକୁ ଏସିଆର ସର୍ବବୃହତ ସଂଯୋଗ କେନ୍ଦ୍ର ଭାବରେ ପ୍ରତିଷ୍ଠା କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ସେ ଏହା ମଧ୍ୟ କହିଛନ୍ତି ଯେ, ମୁମ୍ବାଇରେ ଏବେ ଏକ ସମ୍ପୂର୍ଣ୍ଣ ଭୂତଳ ମେଟ୍ରୋ ଅଛି, ଯାହା ଯାତ୍ରାକୁ ସହଜ କରିବ ଏବଂ ଯାତ୍ରୀମାନଙ୍କ ପାଇଁ ସମୟ ବଞ୍ଚାଇବ। ଶ୍ରୀ ମୋଦୀ ଭୂତଳ ମେଟ୍ରୋକୁ ବିକାଶଶୀଳ ଭାରତର ଏକ ଜୀବନ୍ତ ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ । ସେ କହିଥିଲ ମୁମ୍ବାଇ ଭଳି ଏକ ବ୍ୟସ୍ତବହୁଳ ସହରରେ ଐତିହାସିକ କୋଠାଗୁଡ଼ିକୁ ସଂରକ୍ଷଣ କରି ଏହି ଉଲ୍ଲେଖନୀୟ ମେଟ୍ରୋ ଭୂତଳରେ ନିର୍ମାଣ କରାଯାଇଛି। ସେ ପ୍ରକଳ୍ପରେ ସାମିଲ ଶ୍ରମିକ ଏବଂ ଇଞ୍ଜିନିୟରମାନଙ୍କୁ ଅଭିନନ୍ଦନ ଜଣାଇଥିଲେ।ଭାରତ ଏହାର ଯୁବପିଢ଼ି ପାଇଁ ଅଗଣିତ ସୁଯୋଗ ପ୍ରଦାନ କରୁଛି ବୋଲି ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ଦେଶର ବିଭିନ୍ନ ଆଇଟିଆଇକୁ ଶିଳ୍ପ ସହିତ ଯୋଡ଼ିବା ପାଇଁ ୬୦ ହଜାର କୋଟି ଟଙ୍କାର ‘ପ୍ରଧାନମନ୍ତ୍ରୀ ସେତୁ ଯୋଜନା’ର ସମ୍ପ୍ରତି ଶୁଭାରମ୍ଭ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଆଜିଠାରୁ, ମହାରାଷ୍ଟ୍ର ସରକାର ଶହ ଶହ ଆଇଟିଆଇ ଏବଂ ବୈଷୟିକ ବିଦ୍ୟାଳୟରେ ନୂତନ କାର୍ଯ୍ୟକ୍ରମ ପ୍ରଚଳନ କରିଛନ୍ତି। ଏହି ପଦକ୍ଷେପଗୁଡ଼ିକ ମାଧ୍ୟମରେ, ଛାତ୍ରଛାତ୍ରୀମାନେ ଡ୍ରୋନ୍, ରୋବୋଟିକ୍ସ, ବୈଦ୍ୟୁତିକ ଯାନବାହନ, ସୌରଶକ୍ତି ଏବଂ ସବୁଜ ହାଇଡ୍ରୋଜେନ୍ ଭଳି ଉଦୀୟମାନ ପ୍ରଯୁକ୍ତି ବିଦ୍ୟାରେ ତାଲିମ ପାଇବେ। ସେ ମହାରାଷ୍ଟ୍ରର ଯୁବପିଢ଼ିଙ୍କୁ ତାଙ୍କର ଶୁଭକାମନା ଜଣାଇଥିଲେ।