ୱାନ ନେସନ, ୱାନ ରାସନ କାର୍ଡ ଲାଗୁ ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦେଶ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଶୁକ୍ରବାର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳକୁ ୱାନ ନେସନ ୱାନ ରାସନ କାର୍ଡ ନୀତି ଆପଣାଇବାକୁ ନିର୍ଦେଶ ଦେଇଛନ୍ତି। ଯଦି ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଏହି ନୀତି ଗ୍ରହଣ ନ କରନ୍ତି ତାହେଲେ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ମାଗଣା ରାସନ କିପରି ଭାବେ ସବୁ ଲୋକଙ୍କ ପାଖରେ ପହଞ୍ଚିବ ପ୍ରଶ୍ନ କରିଛନ୍ତି। କାରୋନା ମହାମାରୀ ପାଇଁ ଅନେକ  ପ୍ରବାସୀ ଶ୍ରମିକ ସେମାନେ ରହୁଥିବା ସ୍ଥାନ ଛାଡ଼ି ଘରକୁ ପଳାଇ ଆସିଛନ୍ତି। ସେମାନେ ଯେଉଁଠାରେ ରହୁଥିଲେ ସେହି ଠିକଣାରେ ରାସନ କାର୍ଡ ରହିଛି। ତେଣୁ ଯଦି ୱାନ ନେସନ ୱାନ ରାସନ କାର୍ଡ ନୀତି ପାଳନ କରାଯିବ ନାହିଁ ତାହେଲେ ଏହି ଅସୁବିଧା କାଳରେ ପ୍ରବାସୀ ଶ୍ରମିକ ପେଟକୁ ଦାନା ମୁନ୍ଦେ ପାଇବେ ନାହିଁ ବୋଲି ସୁପ୍ରିମକୋର୍ଟ କହିଛନ୍ତି।

କେନ୍ଦ୍ର ସରକାରଙ୍କ ପକ୍ଷରୁ ସଲିସିଟର ଜେନେରାଲ ପକ୍ଷ ରଖି କହିଥିଲେ ଯେ ଦିଲ୍ଲୀ, ପଶ୍ଚିମବଙ୍ଗ, ଛତିଶଗଡ଼ ଓ ଆସାମରେ ୱାନ ନେସନ ୱାନ ରାସନ କାର୍ଡ ନୀତି ଲାଗୁ ହୋଇ ନାହିଁ। ମାତ୍ର ସେଠାରେ ଦିଲ୍ଲୀ ପାଇଁ ମାମଲା ଲଢ଼ୁଥିବା ଓକିଲ ଏହାର ପ୍ରତିବାଦ କରି କହିଥିଲେ ଯେ ଦିଲ୍ଲୀରେ ଏହାକୁ ଅନୁପାଳନ କରାଯାଉଛି। ପଶ୍ଚିମବଙ୍ଗ ପାଇଁ ମାମଲା ଲଢ଼ୁଥିବା ଓକିଲ କହିଥିଲେ ଯେ ଆଧାର ସମସ୍ୟା ପାଇଁ ଏହା ଲାଗୁ କରିବାରେ ବିଳମ୍ବ ହେଉଛି। ଏଥିସହ ସର୍ବୋଚ୍ଚ କୋର୍ଟ ଆହୁରି କହିଥିଲେ ଯେ ଯେଉଁ ପ୍ରବାସୀଙ୍କ ପାଖରେ ରାସନ କାର୍ଡ ନାହିଁ ସେମାନେ ବି ଯେପରି ରାସନ ପାଇ ପାରିବେ ତାହାର ବ୍ୟବସ୍ଥା ହେବା ଦରକାର।

Related Articles

Leave a Reply

Your email address will not be published.

Back to top button