କଟକରେ ଶାନ୍ତି ଶୃଙ୍ଖଳା ବଜାୟ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଅପିଲ

ଭୁବନେଶ୍ବର: କଟକରେ ଶାନ୍ତିଶୃଙ୍ଖଳା ବଜାୟ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଅପିଲ କରିଛନ୍ତି । କହିଛନ୍ତି, ଭାଇଚାରାର ଅନନ୍ୟ ନିଦର୍ଶନ ହେଉଛି କଟକ ସହର । କେତେକ ବିଶୃଙ୍ଖଳାକାରୀଙ୍କ ଯୋଗୁଁ ସହରରେ ଶାନ୍ତି ଭଙ୍ଗ ହୋଇଛି । କଟକରେ ଗୌରବକୁ ଅକ୍ଷୁଣ୍ଣ ରଖିବା ପାଇଁ ଆଗେଇ ଆସନ୍ତୁ । ଅନ୍ୟପଟେ କଟକ ସହରର ବିଶୃଙ୍ଖଳାକାରୀ ଙ୍କୁ ସିସିଟିଭି ଦେଖି ଚିହ୍ନଟ କରାଯାଇଛି । ଏନେଇ ଆଇନ ଶୃଙ୍ଖଳା ଏଡିଜି ସଂଜୟ କୁମାର ସୂଚନା ଦେଇଛନ୍ତି । କହିଛନ୍ତି, ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ । ଗତକାଲି ହିଂସା ଘଟାଇଥିବା ସମସ୍ତ ଅଭିଯୁକ୍ତ ଚିହ୍ନଟ ହୋଇସାରିଛନ୍ତି । ଆଇନ ଶୃଙ୍ଖଳା ବଜାୟ ରଖିବା ପାଇଁ ୫୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । କଟକ ସହରରେ ଶାନ୍ତି ବଜାୟ ରଖିବାକୁ ପୋଲିସ ଅପିଲ କରିବା ସହ ସଚେତନ ହୋଇ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏହି ହିଂସା ଘଟଣାରେ ମୋଟ ୩ଟି ମାମଲା ରୁଜୁ ହୋଇଛି । ଏନେଇ ପୋଲିସ କମିଶନର ଏସ ଦେବଦତ୍ତ ସିଂ ସୂଚନା ଦେଇଛନ୍ତି । ଗିରଫଦାରୀ ଆରମ୍ଭ ହୋଇଯାଇଛି, ସଂଖ୍ୟା କହି ହେବନି । ସୂଚନାଥାଉକି, ଶୁକ୍ରବାର ବିଳମ୍ବିତ ରାତିରେ ଦୁର୍ଗାମେଢ଼ ଭସାଣି ବେଳେ ହାତୀପୋଖରୀଠାରେ ଘଟିଥିବା ଗଣ୍ଡଗୋଳର ପ୍ରତିଫଳନ ପୁଣିଥରେ ରବିବାର ଦେଖିବାକୁ ମିଳିଛି । ଭସାଣିରେ ଗଣ୍ଡଗୋଳ ପ୍ରତିବାଦରେ କଟକ ବନ୍ଦ ଡାକରାକୁ ସମର୍ଥନ କରି ବିଶ୍ବହିନ୍ଦୁ ପରିଷଦ ଓ ଅନ୍ୟ ସଂଗଠନ ପକ୍ଷରୁ ମୋଟର ସାଇକଲ ଶୋଭାଯାତ୍ରା ସହର ପରିକ୍ରମା କରିଥିଲା । ଶୋଭାଯାତ୍ରା ଯାଉଥିବା ସମୟରେ ପୁଲିସ କିଛି ଶୋଭାଯାତ୍ରାକାରୀଙ୍କୁ ବଜ୍ରକବାଟୀ ନିକଟରେ ଅଟକାଇବାରୁ ଉତ୍ତେଜନା ବଢ଼ିଥିଲା ।