ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି

ଭୁବନେଶ୍ବର: ଶ୍ରୀମନ୍ଦିରରେ ଆରମ୍ଭ ହେଲା କାର୍ତ୍ତିକ ନୀତି । ଶ୍ରୀ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଲେ ମହାପ୍ରଭୁ । ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ବେଶ ଦର୍ଶନ କରି ସାନ୍ନିଧ୍ୟ ଲାଭ କରିଛନ୍ତି । ଆଶ୍ୱିନ ଶୁକ୍ଳ ଏକାଦଶୀ ତିଥି ଅର୍ଥାତ ଆଜିଠାରୁ ମହାପ୍ରଭୁଙ୍କ ନିକଟରେ ବାଳଭୋଗ ନୀତି ଆରମ୍ଭ ହୋଇଛି । ସେପଟେ ଶ୍ରୀକ୍ଷେତ୍ରରେ କିଛି ମହିଳା ସଂକଳ୍ପ କରି କାର୍ତ୍ତିକ ବ୍ରତ ଆରମ୍ଭ କରିଛନ୍ତି । ଆଶ୍ୱିନ ଶୁକ୍ଳପକ୍ଷ ଏକାଦଶୀ ତିଥିରେ ଶ୍ରୀମନ୍ଦିରରେ ଆରମ୍ଭ ହୋଇଛି ପବିତ୍ର କାର୍ତ୍ତିକ ନୀତି । ସକାଳେ ଦ୍ୱାରଫିଟା ନୀତି ସମ୍ପନ୍ନ ପରେ ଅନ୍ୟାନ୍ୟ ନୀତି କରାଯାଇଥିଲା । ଶ୍ରୀ ରାଇଦାମୋଦର ବେଶ ସହ ବାଳଧୂପ ନୀତି ବଢ଼ିଥିଲା । ମହାପ୍ରଭୁ ଆଜିଠାରୁ ରାଧାଦାମୋଦର ବେଶରେ ଭକ୍ତଙ୍କୁ ଦର୍ଶନ ଦେଉଛନ୍ତି । କୁମାର ପୂର୍ଣ୍ଣିମା ପରଦିନଠୁ ଆରମ୍ଭ ହେବ କାର୍ତ୍ତିକ ବ୍ରତ । ଶ୍ରୀକ୍ଷେତ୍ରରେ ସବୁବର୍ଷ ଭଳି ଏବର୍ଷ ମଧ୍ୟ ହବିଷିଆଳିଙ୍କ ପାଇଁ କରାଯାଇଛି ନିଃଶୁଳ୍କ ରହଣି ବ୍ୟବସ୍ଥା । ଯେଉଁମାନେ ଏଥିରେ ପଞ୍ଜୀକରଣ କରିଛନ୍ତି, ସେମାନଙ୍କ ପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ବ୍ରତଧାରୀ ମାନେ ମାସେ କାଳ ୪ଟି ହବିଷିଆଳି ନିବାସରେ ରହି ବ୍ରତ ପାଳନ କରିବେ ।