‘ଭୋକାଲ ଫର ଲୋକାଲ’ ସନ୍ଦେଶକୁ ନେଇ ୯୦ ଦିନ ଧରି ଅଭିଯାନ କରିବ ରାଜ୍ୟ ବିଜେପି

ଭୁବନେଶ୍ୱର: ରାଜ୍ୟ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ମହାନ ରାଷ୍ଟ୍ରବାଦୀ, ଜନନାୟକ, ଭାରତୀୟ ଜନସଂଘର ପ୍ରତିଷ୍ଠାତା ତଥା ମହାନ ଦାର୍ଶନିକ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ୧୧୦ତମ ଜୟନ୍ତୀ ଅବସରରେ ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନର ରାଜ୍ୟସ୍ତରୀୟ ଶୁଭାରମ୍ଭ ହୋଇଯାଇଛି । ଏହି ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲ କହିଛନ୍ତି ଯେ, ସ୍ୱଦେଶୀ ଭାବନା ଓ ଭାରତୀୟ ସଂସ୍କୃତି ଆଧାରିତ ରାଷ୍ଟ୍ରଚିନ୍ତନକୁ ଦୃଢ ଓ ତଥ୍ୟ ପୂର୍ଣ୍ଣ ଅର୍ଥରେ ପରିପ୍ରକାଶ କରି ଏହାର ମହାନତାକୁ ସାବ୍ୟସ୍ତ କରିବା ହେଲା ଏକାତ୍ମ ମାନବବାଦର ମୂଳ ଲକ୍ଷ୍ୟ । ଆତ୍ମନିର୍ଭର ଭାରତର ପଥ ଗାଁ, ଗରିବ, ଚାଷୀ, ମହିଳା ଏବଂ ଯୁୁବକମାନଙ୍କର ଅଂଶଗ୍ରହଣ ମାଧ୍ୟମରେ ନିର୍ମାଣ ହେବ । ଆତ୍ମନିର୍ଭର ଭାରତ ସଂକଳ୍ପ ଅଭିଯାନ ହେଉଛି ଯଶ୍ୱସୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଚିନ୍ତାଧାରାର ଏକ ବ୍ୟାପକ ବିସ୍ତାର, ଯାହାର ଲକ୍ଷ୍ୟ ଭାରତକୁ ସାମାଜିକ ଓ ଆର୍ଥିକ ଭାବେ ଆତ୍ମନିର୍ଭର କରିବା । ଏହି ଅଭିଯାନ ଗୁରୁବାରରୁ ଆରମ୍ଭ ହୋଇ ୨୫ ଡିସେମ୍ବର ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ପର୍ଯ୍ୟନ୍ତ ଦୀର୍ଘ ୯୦ ଦିନ ଧରି ଚାଲିବ । ଏହି ଅଭିଯାନ କେବଳ ଏକ ନୀତିଗତ ପଦକ୍ଷେପ ନୁହେଁ, ବରଂ ଜନଭାଗିଦାରୀ ମାଧ୍ୟମରେ ଏକ ସଫଳ ରାଷ୍ଟ୍ର ତିଆରି କରିବା । ଏହାର ପ୍ରଧାନ ଉଦ୍ଦେଶ୍ୟ ହେଉଛି ପ୍ରତ୍ୟେକ ଭାରତୀୟଙ୍କୁ ଯୋଡିବା, ପ୍ରତ୍ୟେକ ନାଗରିକଙ୍କୁ ପ୍ରେରିତ କରିବା ଏବଂ ପ୍ରତ୍ୟେକ ଘରକୁ ଆତ୍ମନିର୍ଭରତାର ସନ୍ଦେଶ ପହଁଚାଇବା । ପ୍ରତ୍ୟେକ ଘରେ ସ୍ୱଦେଶୀ ଭାବନା ସହ ଏହି ଅଭିଯାନକୁ ସମସ୍ତଙ୍କ ପର୍ଯ୍ୟନ୍ତ ପହଁଚାଇବା ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ଯଥା- ‘ଆତ୍ମନିର୍ଭର ଭାରତ ସଂକଳ୍ପ ସମାରୋହ ଓ ଆତ୍ମନିର୍ଭର ଭାରତ ସଂକଳ୍ପର ରଥ ଯାତ୍ରା’ । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ‘ଭୋକାଲ ଫର ଲୋକାଲ’ ସନ୍ଦେଶକୁ ସମସ୍ତ ଭାରତୀୟଙ୍କ ପର୍ଯ୍ୟନ୍ତ ପହଁଚାଇ ଦେଶର ଆର୍ôଥକ ଓ ସାଂସ୍କୃତିକ ଶକ୍ତିକୁ ମଜବୁତ କରିବା ବୋଲି ଶ୍ରୀ ସାମଲ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଅଭିଯାନର ରାଜ୍ୟ ସଂଯୋଜକ ତଥା ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ରାଜ୍ୟ ଗଣମାଧ୍ୟମ ସଂଯୋଜକ ସୁଜିତ କୁମାର ଦାସ ପ୍ରମୁଖ ଉପସ୍ଥିତ ଥିଲେ । ଅଭିଯାନର ଶୁଭାରମ୍ଭ ଅବସରରେ ରାଜ୍ୟ କାର୍ଯ୍ୟାଳୟଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟ ସମବାୟ ମନ୍ତ୍ରୀ ଶ୍ରୀ ପ୍ରଦୀପ ବଳସାମନ୍ତ, ରାଜ୍ୟ ସାଧାରଣ ସଂପାଦକ ଶାରଦା ପ୍ରସାଦ ଶତପଥୀ, ଭୁବନେଶ୍ୱର ଜିଲ୍ଲା ସଭାପତି ନିରଞ୍ଜନ ମିଶ୍ର, ବରିଷ୍ଠ ନେତା ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ବିଶିଷ୍ଟ ସ୍ଥପତି ଅଦୈତ ଗଡନାୟକ, କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ଚକ୍ରଧର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ ଏବଂ ପଣ୍ଡିତ ଦୀନଦୟାଲଜୀଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକୁ ଉନ୍ମୋଚନ କରିଥିଲେ । ରାଜ୍ୟ ସଭାପତି ଶ୍ରୀ ସାମଲ ଏବଂ ଅନ୍ୟ ନେତୃବୃନ୍ଦ ଏହି ଅବସରରେ ‘ସ୍ୱଦେଶୀ କିଣିବା ଏବଂ ସ୍ୱଦେଶୀ ବିକିବା’ ପାଇଁ ସଂକଳ୍ପ ନେଇଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button