କେନ୍ଦ୍ରୀୟ ଡେପୁଟେସନରେ ଯିବେ ଶାଳିନୀ ପଣ୍ଡିତ

ଭୁବନେଶ୍ୱର:ଆଇଏଏସ୍ ଶାଲିନୀ ପଣ୍ଡିତ କେନ୍ଦ୍ରୀୟ ଡେପୁଟେସନରେ ଯିବେ । ଶାଲିନୀଙ୍କୁ ଆର୍ଥିକ ସେବା ବିଭାଗର ଯୁଗ୍ମ ସଚିବ ଭାବରେ ନିଯୁକ୍ତି ମିଳିଛି । ନିଯୁକ୍ତିଠାରୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱ ତୁଲାଇବେ । ସେ ଆଇଏଏସ୍ ସମୀର ଶୁକ୍ଳାଙ୍କ ସ୍ଥାନରେ ଯୋଗ ଦେବେ । ସୂଚନା ଅନୁସାରେ, ଶ୍ରୀମତୀ ପଣ୍ଡିତଙ୍କୁ କେନ୍ଦ୍ର ଅର୍ଥ ସେବା ଯୁଗ୍ମ ସଚିବ ଭାବେ ୫ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ନିଯୁକ୍ତି ମିଳିଛି । ଶ୍ରୀମତୀ ପଣ୍ଡିତ ଏବେ ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ବିଭାଗ ଏବଂ ମିଶନ ଶକ୍ତି ବିଭାଗର ସଚିବ ଭାବେ କାର୍ଯ୍ୟରତ ଅଛନ୍ତି । ସେ ଦୀର୍ଘବର୍ଷ ଧରି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗରେ କାର୍ଯ୍ୟ କରିଛନ୍ତି । ବିଶେଷକରି କରୋନା ସମୟରେ ନିଜର ଦକ୍ଷତା ପ୍ରତିପାଦନ କରି ସେ ପ୍ରଶଂସିତ ହୋଇଥିଲେ । ୨୦୧୫ ନଭେମ୍ବରରେ ସେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ମିଶନ ନିର୍ଦ୍ଦେଶିକା ଭାବେ ଯୋଗ ଦେଇ ପରେ ସେହି ବିଭାଗରେ ୨୦୨୪ ଅଗଷ୍ଟ ମାସ ପର୍ଯ୍ୟନ୍ତ ସଚିବ ପଦରେ ମଧ୍ୟ କାର୍ଯ୍ୟ କରିଥିଲେ । ରାଜ୍ୟରେ ନୂଆ ସରକାର ଆସିବା ପରେ ତାଙ୍କୁ ଗତବର୍ଷ ଅଗଷ୍ଟ ମାସରେ ସ୍କୁଲ ଓ ଗଣଶିକ୍ଷା ବିଭାଗର ସଚିବ ଭାବେ ବଦଳି କରାଯାଇଥିଲା ।