ଓଡିଶାକୁ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ୱର: “ସମୃଦ୍ଧ ଓଡିଶା, ବିକଶିତ ଓଡ଼ିଶା” ର ପ୍ରତିଶ୍ରୁତିକୁ ଆଗକୁ ବଢାଇ ନେଇ, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଆଜି କେନ୍ଦୁଝର ଠାରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ଆୟୋଜିତ “ଜିରୋ ଆକ୍ସିଡେଣ୍ଟ ଡେ” ବା ଶୂନ ଦୁର୍ଘଟଣା ଦିବସ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଓଡିଶାକୁ ଏକ ଦୁର୍ଘଟଣା-ଶୂନ୍ୟ ରାଜ୍ୟ ଭାବେ ଗଢିବା ପାଇଁ ଆହ୍ୱାନ ଦେଇଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଜିରୋ ଆକ୍ସିଡେଣ୍ଟ ସେଲ୍ଫି ପଏଣ୍ଟକୁ ଉଦ୍ଘାଟନ କରିବା ସହିତ ସଡକ ସୁରକ୍ଷା ବାର୍ତ୍ତା ପ୍ରଚାରକ ମାନଙ୍କୁ ସେହିଠାରେ ସମ୍ବର୍ଦ୍ଧିତ କରିଥିଲେ। ଏଥିସହିତ ମୁଖ୍ୟମନ୍ତ୍ରୀ କେନ୍ଦୁଝର ଜିଲ୍ଲାର ସମସ୍ତ ୧୩ ଟି ବ୍ଲକରେ ସଡକ ସୁରକ୍ଷା ସଚେତନତା ତଥା ଶୂନ ଦୁର୍ଘଟଣା ବାର୍ତ୍ତା ପ୍ରଚାର ରଥର ଶୁଭାରମ୍ଭ କରିଥିଲେ ଓ ସିଂଗନେଚର କ୍ୟାମ୍ପେନକୁ ଉଦ୍ଘାଟନ କରିଥିଲେ। ଗଣମାଧ୍ୟମକୁ ବିବୃତି ଦେଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ସୁରକ୍ଷା କେବଳ ସରକାରଙ୍କର ଦାୟିତ୍ବ ନୁହେଁ। ଏଥି ପ୍ରତି ସଚେତନ ହେବା ପ୍ରତ୍ୟେକ ବ୍ୟକ୍ତିଙ୍କର ସାମୂହିକ ଦାୟିତ୍ବ। ଭୁବନେଶ୍ବରରେ ଶୂନ ଦୁର୍ଘଟଣା ଦିବସର ଏକ ବିଶେଷ ସଫଳତା ପରେ କେନ୍ଦୁଝର ଏହି ଅଭିଯାନକୁ ଆଗକୁ ନେବାରେ ଓଡ଼ିଶାର ପ୍ରଥମ ଜିଲ୍ଲା ହୋଇଛି। ଆମର ଲକ୍ଷ୍ୟ ହେବ, ଶୂନ ଦୁର୍ଘଟଣା ଦିବସ ସଚେତନତା ବାର୍ତ୍ତାକୁ ପ୍ରତି ସହର, ଗାଁ ଏପରିକି ଘରେ ଘରେ ପହଞ୍ଚାଇବା। ନିଜେ ସଚେତନ ହେବା ସହ ଅନ୍ୟମାନଙ୍କୁ ସଚେତନ କରାଇବା। ସମସ୍ତ କ୍ଷେତ୍ରରେ ସତର୍କତା ହିଁ ଆମକୁ ଏସବୁ ଦୁର୍ଘଟଣାରୁ ବଞ୍ଚେଇ ପାରିବ। କେନ୍ଦୁଝର ଜିଲ୍ଲା ହେଉଛି ଏକ ଖଣିବହୁଳ ଅଞ୍ଚଳ। ଦିନରାତି ଏଠାରେ ଖଣିଜ ପଦାର୍ଥ ପରିବହନ ହୋଇଥାଏ। ଏଠାରୁ ପ୍ରତିଦିନ ସହସ୍ର ସଂଖ୍ୟକ ଟ୍ରକ୍, ଲୋଡର୍, ଭାରୀ ଯାନବାହାନ ଯାତାୟାତ କରୁଛି। ଏହା ଅଞ୍ଚଳର ଅର୍ଥନୀତିକୁ ସଚଳ କରୁଛି, କିନ୍ତୁ ଏହା ସହିତ ସଡ଼କ ସୁରକ୍ଷା ପାଇଁ ଏକ ବିଶେଷ ଚାଲେଞ୍ଜ ମଧ୍ୟ ହୋଇ ଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିବା ସହିତ କେନ୍ଦୁଝର ଜିଲ୍ଲାର ପ୍ରତ୍ୟେକ ନାଗରିକଙ୍କୁ ଯାତାୟତ ସମୟରେ ସଡକ ସୁରକ୍ଷା ନିୟମାବଳୀ ମାନିବା ସହିତ ସତର୍କତା ଅବଲମ୍ବନ କରିବା ପାଇଁ ସେ ଆହ୍ୱାନ ଦେଇଥିଲେ।