ଏସ୍‌ସିଓରେ ମୋଦୀ ଉଠାଇଲେ ଆତଙ୍କବାଦ ପ୍ରସଙ୍ଗ : ଦୋମୁହାଁ ନୀତି ରହିବା ଠିକ୍‌ ନୁହେଁ

ନୂଆଦିଲ୍ଲୀ : ଚୀନ୍‌ର ତିଆନ୍‌ଜିନ୍ ସହରରେ ଆୟୋଜିତ ସାଂଘାଇ ସହଯୋଗ ସଂଗଠନ (ଏସ୍‌ସିଓ) ଶିଖର ସମ୍ମିଳନୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପ୍ରସଙ୍ଗ ଉଠାଇ ଆତଙ୍କବାଦ ଏବଂ ଆତଙ୍କବାଦୀଙ୍କୁ ପୃଷ୍ଠପୋଷକତା କରୁଥିବା ଦେଶ ଉପରେ ବର୍ଷିବା ଦେଖିବାକୁ ମିଳିଥିଲା। ସେହିପରି ମୋଦୀ ଏଭଳି ଏକ ଅନ୍ତର୍ଜାତୀୟ ମଞ୍ଚରେ ଭାରତୀୟ ସେନାର ଅପରେସନ୍ ସିନ୍ଦୂର’ ରୂପୀ ପରାକ୍ରମ ସମ୍ପର୍କରେ ମଧ୍ୟ ବଖାଣିବାକୁ ଭୁଲିନଥିଲେ। ମୋଦୀ କହିଥିଲେ ଏକ ବିଂଶ ଶତାବ୍ଦୀର ଭାରତ ଏକ ନୂଆ ଭାରତ। ଏହି ନୂଆ ଭାରତ ଆତଙ୍କବାଦ ପ୍ରତି ଶୂନ୍ୟ ସହନଶୀଳତା ନୀତି ଗ୍ରହଣ କରିଛି। ଭାରତ ସର୍ବେ ଭବନ୍ତୁ ସୁଖୀନଃ ନୀତିରେ ଆଗକୁ ବଢ଼ୁଛି। କିନ୍ତୁ ଭାରତକୁ କଷ୍ଟ ପହଞ୍ଚାଇବାକୁ ଚେଷ୍ଟା କରୁଥିବା ଯେକୌଣସି ଶକ୍ତିକୁ ଦୃଢ଼ତାର ସହ ଜବାବ ଦେବା ମଧ୍ୟ ଭାରତ ଜାଣିଛି। ଭାରତ ପ୍ରତି ବିପଦ ସୃଷ୍ଟି କରିବାକୁ ଚେଷ୍ଟା କରାଗଲେ ଭାରତୀୟ ସେନା ଅପରେସନ୍ ସିନ୍ଦୂର’ ଭଳି ଅପରେସନ୍ କରିବାକୁ ପଛଘୁଞ୍ଚା ଦେବନାହିଁ। ଆତଙ୍କବାଦ ସମ୍ପର୍କରେ କୌଣସି ଦୋମୁହାଁ ନୀତି ରହିବା ଉଚିତ୍ ନୁହେଁ। ଆତଙ୍କବାଦ ସମଗ୍ର ବିଶ୍ୱ ପାଇଁ ଏକ ବଡ ବିପଦ। ଆତଙ୍କବାଦ କେବଳ ଗୋଟିଏ ଦେଶ ପାଇଁ ନୁହେଁ ବରଂ ସମଗ୍ର ମାନବ ଜାତି ପାଇଁ ଏକ ବଡ ବିପଦ। ଦେଶ, ସମାଜ ଏବଂ ମାନବ ଜାତି ଏଥିରୁ ସୁରକ୍ଷିତ ନୁହେଁ। ଆତଙ୍କବାଦୀ ଏବଂ ଆତଙ୍କବାଦକୁ ଆର୍ôଥକ ସହାୟତା ଯୋଗାଉଥିବା ଶକ୍ତି ବିରୋଧରେ ଏକଜୁଟ୍ ହୋଇ ଲଢ଼ିବା ପାଇଁ ମୋଦୀ ବିଶ୍ୱ ସମୁଦାୟକୁ ଆହ୍ୱାନ କରିଛନ୍ତି। ଆତଙ୍କବାଦ ଏବଂ ଆତଙ୍କବାଦକୁ ପ୍ରୋତ୍ସାହନ ଦେଉଥିବା ଦେଶ ସମ୍ପର୍କରେ ମୋଦୀଙ୍କ ଏପ୍ରକାର ସମ୍ବୋଧନ ଉପସ୍ଥିତ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପାଇଁ ଏକ ବଡ଼ କଟାକ୍ଷ ବୋଲି କୁହାଯାଉଛି।

Related Articles

Leave a Reply

Your email address will not be published. Required fields are marked *

Back to top button