କ୍ୟାପିଟାଲ ହସ୍ପିଟାଲକୁ ଆସିବ ଇକମୋ: ନବ ଦାସ

ଭୁବନେଶ୍ୱର: କରୋନା କାଳରେ ଓଡ଼ିଶାରେ ଇକମୋ ମେସିନ ନଥିବାରୁ ବହୁ ଗୁରୁତର ରୋଗୀଙ୍କୁ ଏୟାର ଲିଫ୍ଟିଂ କରାଯାଉଛି ।  ଯେଉଁଥି ପାଇଁ ରୋଗୀଙ୍କ ପରିବାରକୁ ୧ କୋଟି ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ପଡ଼ୁଛି । ଯାହା ପାଖରେ ପଇସା ଅଛି କିମ୍ବା ଅନ୍ୟ କୌଣସି ଜରିଆରେ ଟଙ୍କା ଯୋଗାଡ଼ କରିପାରୁଛନ୍ତି ସେମାନେ ରୋଗୀଙ୍କୁ ଏୟାର ଆମ୍ବୁଲାନ୍ସରେ ନେଇ ଇକମୋ ଦ୍ୱାରା ଚିକିତ୍ସା କରାଉଛନ୍ତି ।  କିନ୍ତୁ ବହୁ ଗରିବ ଏଥିରୁ ବଞ୍ଚିତ ହୋଇ ପ୍ରାଣ ହରାଉଛନ୍ତି । ତେବେ ରାଜଧାନୀ ଭୁବନେଶ୍ୱରସ୍ଥ କ୍ୟାପିଟାଲ ହସ୍ପିଟାଲକୁ  ଜୀବନ ରକ୍ଷାକାରୀ ଇକମୋ ମେସିନ ଆସିବ ବୋଲି ଆଜି ସ୍ୱାସ୍ଥ୍ୟମନ୍ତ୍ରୀ ନବଦାସ କହିଛନ୍ତି । ସେ କହିଛନ୍ତି ଯେ, ଇକମୋ ମେସିନ କିଣିବା ପାଇଁ ଟେଣ୍ଡର ପ୍ରକ୍ରିୟା ଆରମ୍ଭ କରାଯାଇଛି ।  କ୍ୟାପିଟାଲ ହସ୍ପିଟାଲରେ ମଧ୍ୟ ଇକମୋ ମେସିନ ସ୍ଥାପନ କରାଯିବ ।

ସିଏସଆର ପାଣ୍ଠି ଜରିଆରେ ଇକମୋ କ୍ୟାପିଟାଲ ହସ୍ପିଟାଲରେ ଲାଗିବ ବୋଲି ମନ୍ତ୍ରୀ ଶ୍ରୀ ଦାସ କହିଛନ୍ତି । ସେହିପରି କରୋନା ସଂକ୍ରମଣ ସ୍ଥିତି ଦେଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଅନଲକ ନେଇ ନିଷ୍ପତ୍ତି ନେବେ ।  ଜିଲ୍ଲାର ସ୍ଥିତି ଓ ସଂକ୍ରମଣ ନେଇ ଜିଲ୍ଲାପାଳମାନଙ୍କ ରିପୋର୍ଟ ଅନୁସାରେ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ କହିଛନ୍ତି ।  ଏହା ପୂର୍ବରୁ ଡିଏମଇଟି ସିବିକେ ମହାନ୍ତି ଇକମୋ ସମ୍ପର୍କରେ କହିଥିଲେ ଯେ,  ଇକମୋ ବ୍ୟୟ ବହୁଳ ଚିକିତ୍ସା । ପ୍ରଥମେ ୪ରୁ ୫ ଲକ୍ଷ ଟଙ୍କା ଦରକାର ।  ଚିକିତ୍ସା ଜାରି ରହିଲେ ଦିନକୁ ୧ ଲକ୍ଷରୁ ୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି ।  ନିମୋନିଆ ହୋଇ ଭେଣ୍ଟିଲେଟର ଫେଲ ହେଲେ ଇକମୋ ଆବଶ୍ୟକ ।  ମେସିନ ଆଣି ଥୋଇଦେଲେ ହେବନି । ଏଥିପାଇଁ ମାନବ ସମ୍ବଳ ଦରକାର ।  ଏହି ମେସିନ ଆଣିବାକୁ ସରକାର ସବୁ ପ୍ରକାର ଚେଷ୍ଟା କରୁଛନ୍ତି ।  ଭାରତରେ ଏହି ମେସିନ ଉତ୍ପାଦନ ହେଉନି । ବିଦେଶରୁ ଆଣିବାକୁ ପ୍ରକ୍ରିୟା ଚାଲିଛି ବୋଲି  ଡିଏମଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି ।

Related Articles

Leave a Reply

Your email address will not be published.

Back to top button