ରାଜରାସ୍ତାକୁ ଓହ୍ଲାଇଲା ବିଜେପି: ଭୁବନେଶ୍ବରରେ କଲା ବିକ୍ଷୋଭ

ଭୁବନେଶ୍ୱର: ଭୁବନେଶ୍ୱର ଜିଲ୍ଲା ବିଜେପି ତରଫରୁ ମାଷ୍ଟରକ୍ୟାଂଟିନ ଛକଠାରେଏକ ବିକ୍ଷୋଭ କରାଯାଇଛି। ଏଥିରେ ସେମାନଙ୍କର ଦାବୀ କିଛି ନାହିଁ। ହେଲେ ସେମାନେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ଏବଂ କଂଗ୍ରେସର ମୁଖିଆ ରାହୁଲ ଗାନ୍ଧୀଙ୍କ କୁଶପୁତଳିକା ଦାହ କରିବା ସହ ବିକ୍ଷୋଭ ପ୍ରଦର୍ଶନ କରିଛି। ତେବେ ତାଙ୍କର ଉଦ୍ଦେଶ୍ୟ ହେଉଛି ଯେ, ବିଜେଡି ଓ କଂଗ୍ରେସର ନେତା ଦୁଷ୍କର୍ମ ଅଭିଯୋଗରେ ଜେଲ ଯାଇଛନ୍ତି। ତେଣୁ ଏହି ଦୁଇ ଦଳ ନାରୀ ନିର୍ଯ୍ୟାତନା ନେଇ ଯେଉଁ ଆନ୍ଦୋଳନ କରୁଛନ୍ତି ତାହା ମୂଲ୍ୟହୀନ ବୋଲି କହି ବିଜେପି ଏହି ବିକ୍ଷୋଭ କରିଛି। ସେତିକି ନୁହେଁ ରାଜ୍ୟବାସୀଙ୍କ ନିକଟରେ ଉଭୟ ଦଳର ଅସଲ ଚରିତ୍ର, ସ୍ୱଭାବ ଓ ମାନସିକତାକୁ ମନେ ପକାଇ ଦେବା ପାଇଁ ସମସ୍ତ ଜିଲ୍ଲାରେ ବ୍ୟାପକ ଓ ବିଭିନ୍ନ କାର୍ଯ୍ୟକ୍ରମ ଏବଂ ପ୍ରତିବାଦ ସଭା ଅନୁଷ୍ଠିତ ହେବ ବୋଲି ଭୁବନେଶ୍ୱର ଜିଲ୍ଲା ସଭାପତି ଶ୍ରୀ ନିରଞ୍ଜନ ମିଶ୍ର କହିଛନ୍ତି। ଆନ୍ଦୋଳନକାରୀ କହିଛନ୍ତି ଯେ, ମହିଳା ଦୁଷ୍କର୍ମ ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ଦଳ ଭିତରେ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ନିଜ ଶାସନ କାଳର ଅପକର୍ମ ଓ କୁକର୍ମକୁ ଜନମାନସରୁ ଦୁରେଇ ରଖିବା ପାଇଁ ଉଭୟ କଂଗ୍ରେସ ଏବଂ ବିଜେଡି ଦଳ ଅପପ୍ରୟାସ ଆରମ୍ଭ କରିଦେଇଛନ୍ତି । ଏହା ଅତ୍ୟନ୍ତ ଲଜ୍ଜାଜନକ ବୋଲି ଶ୍ରୀ ମିଶ୍ର କହିଛନ୍ତି । ବିଜେପି ସରକାର ମହିଳାମାନଙ୍କ ପ୍ରତି ସମ୍ବେଦନଶୀଳ ଓ ସମର୍ପିତ ସରକାର । ମହିଳା ସୁରକ୍ଷା ପ୍ରସଙ୍ଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ବିଜେପି ସରକାର ଶକ୍ତ, ତ୍ୱରିତ ଏବଂ ସଚେତନଧର୍ମୀ ପଦକ୍ଷେପ ଗ୍ରହଣ କରୁଛନ୍ତି । ବର୍ତମାନ ବିଜେପି ସରକାରର କଡା ଅଭିମୁଖ୍ୟ ଦେଖି ରାଜ୍ୟର ମାଁ ଓ ଭଉଣୀଙ୍କ ଆତ୍ମବିଶ୍ୱାସ ବଢିଛି। ରାଜ୍ୟର ମାଁ ଓ ଭଉଣୀମାନଙ୍କୁ ନ୍ୟାୟ ଓ ସମ୍ମାନ ଦେବା ପାଇଁ ବିଜେପି ସରକାର ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମିଶ୍ର କହିଛନ୍ତି । ଏହି ବିକ୍ଷୋଭରେ ପୂର୍ବତନ ମନ୍ତ୍ରୀ ଅରବିନ୍ଦ ଢାଲି, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ରାଜ୍ୟ ଉପସଭାନେତ୍ରୀ ସୁଶ୍ରୀ ସୁକେଶୀ ଓରାମ, ରାଜ୍ୟ ସଂପାଦକ ସରୋଜ କର, ରାଜ୍ୟ ସଂପାଦିକା କସ୍ତୁରୀ ମିଶ୍ର, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଅଭିଳାଷ ପଣ୍ଡା, ମହିଳା ମୋର୍ଚ୍ଚା ରାଜ୍ୟ ସଭାନେତ୍ରୀ ଡ.ଐଶ୍ୱର୍ଯ୍ୟା ବିଶ୍ୱାଳ, ମହିଳାମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦିକା ରଶ୍ମୀରେଖା ଦାସ, ଭୁବନେଶ୍ୱର ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ସୁବାଷିନୀ ପୃଷ୍ଟିଙ୍କ ସମେତ ଜିଲ୍ଲା ଓ ରାଜ୍ୟର ଅନେକ ନେତୃବୃନ୍ଦ ଉପସ୍ଥିତ ଥିଲେ।
				
					


