ଅଧାରୁ ଭାଙ୍ଗିଲା ପୋଲ;ବଢ଼ୁଛି ମୃତ୍ୟୁ ସଂଖ୍ୟା

ନୂଆଦିଲ୍ଲୀ: ଗୁଜରାଟରୁ ଆସିଛି ଏକ ହୃଦୟ ବିଦାରକ ଦୃଶ୍ୟ । ନଦୀ ଉପରେ ନିର୍ମିତ ପୋଲ ମଝିରୁ ଛିଣ୍ଡି ପଡ଼ିଛି । ବ୍ରିଜ୍ ଉପରେ ଗାଡ଼ି ଚଳାଚଳ କରୁଥିବା ବେଳେ ବ୍ରିଜଟି ମଝିରୁ ଭାଙ୍ଗି ନଦୀକୁ ଗଳିପଡ଼ିଛି । ଏହି ଦୁର୍ଘଟଣାରେ ଅନେକ ଗାଡ଼ି ମଧ୍ୟ ନଦୀକୁ ଖସିପଡ଼ିଛି । ନଦୀରେ ପ୍ରବଳ ପାଣିଥିବାରୁ ଅନେକ ଗାଡ଼ି ପାଣିରେ ବୁଡ଼ିଯାଇଛି । ଗାଡ଼ିରେ ଥିବା ଲୋକେ ବି ପାଣିରେ ବୁଡିଯାଇଛନ୍ତି । ଖବର ପାଇ ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ବି ଅନେକ ଲୋକଙ୍କ ଜୀବନ ଚାଲିଯାଇଛି, ଏବଂ ଅନେକ ଲୋକଙ୍କୁ ଉଦ୍ଧାର କରାଯାଇଛି । ମିଳିଥିବା ରିପୋର୍ଟ ଅନୁସାରେ, ପୋଲ ଭାଙ୍ଗିଯିବା ଘଟଣାରେ ୯ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ, ଏବେବି ବଢ଼ିଚାଲିଛି ମୃତ୍ୟୁ ସଂଖ୍ୟା । ପ୍ରାଥମିକ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ ଇତିମଧ୍ୟରେ ୯ରେ ପହଞ୍ଚିଛି ମୃତକଙ୍କ ସଂଖ୍ୟା । ଘଟଣାରେ ୧୦ ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ତେବେ ଆଜି ସକାଳ ସାଢେ ୮ଟାରେ ପୋଲଟି ଭୁଶୁଡି ପଡିବା ପରେ ନଦୀ ମଝିରେ ଦୁଇ ଖଣ୍ଡ ହୋଇଯାଇଥିଲା । ପୋଲ ଉପରେ ଟ୍ରାଫିକ୍ ଜାମ୍ ହୋଇଥିବାରୁ ଏପରି ଅଘଟଣ ଘଟିଲା । ପୁରୁଣା ପୋଲ ଥିବାରୁ ଏହା ଭୁଶୁଡି ପଡିଲା । ପୋଲ ଦୁଇଫାଳ ହେବା ପରେ ୫ରୁ ଅଧିକ ଗାଡ଼ି ନଦୀକୁ ଖସି ପଡିଥିଲା । ସେସବୁକୁ ଉଦ୍ଧାର କରାଯାଇଥିବା ବେଳେ ଏବେବି ୨ଟି ଟ୍ରକ୍ ଏବଂ ପିକ୍ ଅପ୍ ଭ୍ୟାନ୍ ନଦୀରେ ପଡିଛି । ଗୋଟେ ଟ୍ରକ୍ ଝୁଲନ୍ତା ଅବସ୍ଥାରେ ପୋଲ ଉପରେ ରହିଛି ।