ତ୍ରିନିଦାଦ୍ ଆଣ୍ଡ ଟୋବାଗୋ’ ର ସର୍ବୋଚ୍ଚ ଜାତୀୟ ପୁରସ୍କାରରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୋର୍ଟ ଅଫ୍ ସ୍ପେନ୍ ସ୍ଥିତ ରାଷ୍ଟ୍ରପତି ଭବନରେ ଆୟୋଜିତ ଏକ ସ୍ୱତନ୍ତ୍ର ସମାରୋହରେ ତ୍ରିନିଦାଦ ଓ ଟୋବାଗୋର ରାଷ୍ଟ୍ରପତି ମହାମହିମ ଖ୍ରୀଷ୍ଟିନ୍ କାର୍ଲା କଙ୍ଗାଲୁ ଓଆରଟିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ଦେଶର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଅର୍ଡର୍ ଅଫ୍ ଦ ରିପବ୍ଲିକ୍ ଅଫ୍ ତ୍ରିନିଦାଦ୍ ଆଣ୍ଡ ଟୋବାଗୋ’ରେ ସମ୍ମାନିତ କରିଛନ୍ତି। ଅସାଧାରଣ ରାଷ୍ଟ୍ରନୀତିଜ୍ଞ କ୍ଷମତା, ଗ୍ଲୋବାଲ ସାଉଥର ପ୍ରାଥମିକତାକୁ ସମର୍ଥନ କରିବା ତଥା ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ସମ୍ପର୍କକୁ ମଜବୁତ କରିବା କ୍ଷେତ୍ରରେ ତାଙ୍କର ଅସାଧାରଣ ଯୋଗଦାନ ନିମନ୍ତେ ଶ୍ରୀ ମୋଦୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ପ୍ରଥମ ବିଦେଶୀ ନେତା ଭାବେ ପ୍ରଧାନମନ୍ତ୍ରୀଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଛି। ୧୪୦ କୋଟି ଦେଶବାସୀଙ୍କ ତରଫରୁ ସମ୍ମାନକୁ ସ୍ୱୀକାର କରି, ପ୍ରଧାନମନ୍ତ୍ରୀ ଏହାକୁ ଦୁଇ ଦେଶର ଦୃଢ଼ ବନ୍ଧୁତାକୁ ଉତ୍ସର୍ଗ କରିଛନ୍ତି । ସେ ଗୁରୁତ୍ୱାରୋପ କରି କହିଛନ୍ତି, ଏହି ସ୍ୱତନ୍ତ୍ର ସମ୍ପର୍କ ୧୮୦ ବର୍ଷ ପୂର୍ବେ ଏଠାକୁ ଆସିଥିବା ଭାରତୀୟମାନଙ୍କ ଦ୍ୱାରା ଗଢ଼ା ହୋଇଥିବା ସହଭାଗୀ ଇତିହାସ ଏବଂ ସାଂସ୍କୃତିକ ଐତିହ୍ୟ ଉପରେ ଆଧାରିତ। ସେ ଭାରତ ଏବଂ ତ୍ରିନିଦାଦ ଓ ଟୋବାଗୋ ମଧ୍ୟରେ ଦ୍ୱିପାକ୍ଷିକ ସହଭାଗୀତାକୁ ଆହୁରି ଗଭୀର କରିବା ପାଇଁ ତାଙ୍କର ପ୍ରତିବଦ୍ଧତାକୁ ଦୋହରାଇଥିଲେ। ଏହି କାର୍ଯ୍ୟକ୍ରମରେ ତ୍ରିନିଦାଦ ଓ ଟୋବାଗୋ ଗଣରାଜ୍ୟର ପ୍ରଧାନମନ୍ତ୍ରୀ ମହାମହିମ ଶ୍ରୀମତୀ କମଳା ପର୍ସାଦ-ବିସେସାର, ତାଙ୍କ କ୍ୟାବିନେଟର ସଦସ୍ୟ, ସଂସଦର ସଦସ୍ୟ ଏବଂ ଅନ୍ୟାନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।