ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ

ଭୁବନେଶ୍ୱର: ସ୍ଥଗିତ ରହିଲା ବିଜେପି ରାଜ୍ୟ ସଭାପତି ନିର୍ବାଚନ । ଏନେଇ ନିର୍ବାଚନ ଅଧିକାରୀ ତଥା ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀଙ୍କ ସୂଚନା ଦେଇଛନ୍ତି । ବିଜେପି ରାଜ୍ୟ ସଭାପତି ସହ ରାଷ୍ଟ୍ରୀୟ ପରିଷଦ ସଦସ୍ୟ ନିର୍ବାଚନ ସ୍ଥଗିତ କରାଯାଇଛି । ପୁରୀ ଅଘଟଣ ପାଇଁ ମର୍ମାହତ, ତେଣୁ ନିର୍ବାଚନ ସ୍ଥଗିତ ରହିଥିବା ନେଇ ପ୍ରତାପ ଷଡଙ୍ଗୀ କହିଛନ୍ତି । ତେବେ ପୁଣିଥରେ କେବେ ନିର୍ବାଚନ ହେବ ସେନେଇ ବର୍ତ୍ତମାନ ସୁଦ୍ଧା ତାରିଖ ଘୋଷଣା କରାଯାଇ ନାହିଁ । ଆଗାମୀ ଦିନରେ କେନ୍ଦ୍ରୀୟ ନେତୃତ୍ବଙ୍କ ସହିତ ଆଲୋଚନା କରି ତାରିଖ ଘୋଷଣା କରାଯିବ ବୋଲି ସେ କହିଛନ୍ତି । ପ୍ରତାପ ଷଡ଼ଙ୍ଗୀଙ୍କ କହିବା ଅନୁସାରେ, ଗତ କାଲି ପୁରୀଠାରେ ଦୁର୍ଭାଗ୍ୟଜନକ ଘଟଣା ଘଟିଯାଇଛି, ଯେଉଁଥିରେ ୩ ଜଣ ଶ୍ରଦ୍ଧାଳୁ ପ୍ରାଣ ହରାଇବା ସହିତ ଅନେକ ଭକ୍ତ ଆହତ ହୋଇ ଚିକିତ୍ସିତ ହେଉଛନ୍ତି । ମୃତାହତଙ୍କ ଶେଷକୃତ୍ୟ ହୋଇନାହିଁ । ଏଭଳି ଅଭାବନୀୟ ଘଟଣା ଆମ ସମସ୍ତଙ୍କୁ ମର୍ମାହତ କରିବା ସହିତ ବିଚଳିତ କରିଛି । ମୃତାହତ ଶ୍ରଦ୍ଧାଳୁଙ୍କ ପରିବାର ପ୍ରତି ଗଭୀର ସମବେଦନା ଜ୍ଞାପନ କରୁଛୁ ।