ଇ-ଏତଲା, ଇ-ସମନ୍‌, ଇ-ସାକ୍ଷ୍ୟ ପ୍ରଦାନ ଉପରେ ଗୁରୁତ୍ୱ, ଖୁବ୍‌ଶୀଘ୍ର ଆସିବ ୩୨ ଅତ୍ୟାଧୁନିକ ମୋବାଇଲ୍ ଫରେନ୍‌ସିକ୍ ଭ୍ୟାନ୍‌

ଭୁବନେଶ୍ୱର: ତଦନ୍ତ ଓ ନ୍ୟାୟ ପ୍ରଦାନ ବ୍ୟବସ୍ଥା ଇଲେକ୍ଟ୍ରୋନିକ୍ ମୋଡ୍‌ରେ କରିବା ଆବଶ୍ୟକ। ବିଶେଷକରି ଇ-ଏଫ୍‌ଆଇଆର୍‌, ଇ-ସମନ୍‌, ଇ-ସାକ୍ଷ୍ୟ ପ୍ରଦାନ ଆଦି ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଦରକାର। ଏହା ଦ୍ୱାରା ନ୍ୟାୟ ପ୍ରଦାନ ବ୍ୟବସ୍ଥା ସହଜ, ସରଳ ହେବା ସହିତ ତ୍ୱରିତ୍ ବେଗରେ କାର୍ଯ୍ୟକାରୀ କରାଯାଇପାରିବ। ଏଥିପାଇଁ ଜେଲ୍‌, ହସ୍ପିଟାଲ୍‌, ଫରେନ୍‌ସିକ୍ ଲ୍ୟାବ୍‌, କୋର୍ଟ ଇତ୍ୟାଦିକୁ ଭିଡିଓ କନ୍‌ଫରେନ୍‌ସ ଜରିଆରେ ଯୋଡ଼ିବାକୁ ହେବ। ଫଳରେ ସାକ୍ଷୀମାନେ ଯେଉଁ ସ୍ଥାନରେ ଥିବେ, ସେହି ସ୍ଥାନରୁ ହିଁ ସାକ୍ଷ୍ୟ ପ୍ରଦାନ କରିପାରିବେ। ବୁଧବାର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦେଶର ତିନୋଟି ନୂଆ ଅପରାଧିକ ଆଇନ୍‌ର ଫଳପ୍ରଦ କାର୍ଯ୍ୟକାରୀତା ସମ୍ପର୍କରେ ସମୀକ୍ଷା କରି ଏହା ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଫରେନ୍‌ସିକ୍ ବ୍ୟବସ୍ଥାର ଉନ୍ନତି ପାଇଁ ଅତ୍ୟାଧୁନିକ ମୋବାଇଲ୍ ଫରେନ୍‌ସିକ୍ ଭ୍ୟାନ୍ ନିୟୋଜିତ କରିବାକୁ ପଡ଼ିବ। ରାଜ୍ୟରେ ଖୁବ୍‌ଶୀଘ୍ର ୩୨ ମୋବାଇଲ୍ ଫରେନ୍‌ସିକ୍ ଭ୍ୟାନ୍ ଅଣାଯିବ। ସେହିପରି ଭିଡ଼ ହିଂସା , ଉଗ୍ରବାଦୀ କାର୍ଯ୍ୟକଳାପ ଓ ସଂଗଠିତ ଅପରାଧ କ୍ଷେତ୍ରରେ ଏସ୍‌ପିଙ୍କ ତଳ ର‌୍ୟାଙ୍କ୍‌ର କୌଣସି ଅଧିକାରୀ ତଦାରଖ ନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ନୂଆ ଆଇନ୍‌ର ଫଳପ୍ରଦ କାର୍ଯ୍ୟକାରୀତା ପାଇଁ ପୁଲିସ, ଜେଲ୍‌, ଆଇନଗତ କାର୍ଯ୍ୟାନୁଷ୍ଠାନ ଓ ବିଚାର ବିଭାଗୀୟ ବ୍ୟବସ୍ଥାର ସୁଦୃଢ଼ୀକରଣ ଉପରେ ଗୁରୁତ୍ୱ ଆରୋପ କରାଯାଇଥିଲା। ବୈଠକର ସୂଚନା ଅନୁଯାୟୀ ନୂଆ ଅପରାଧିକ ଆଇନ ସମ୍ପର୍କରେ ୯୮%ରୁ ଅଧିକ ପୁଲିସ କର୍ମଚାରୀ ଓ ଅଧିକାରୀଙ୍କୁ ପ୍ରଶିକ୍ଷଣ ଦିଆଯିବା ସହିତ ଦକ୍ଷ ତଦନ୍ତ ପ୍ରକ୍ରିୟା ପାଇଁ ଆଧୁନିକ ଜ୍ଞାନକୌଶଳର ଉପଯୋଗ ପାଇଁ ପଦକ୍ଷେପ ନିଆଯାଉଛି। ଫରେନ୍‌ସିକ୍ ଲ୍ୟାବ୍‌ଗୁଡ଼ିକର ଉନ୍ନତିକରଣ କରାଯାଉଛି ଏବଂ ଫରେନ୍‌ସିକ୍ ଓ ସାଇବର୍ ଫରେନ୍‌ସିକ୍ ବିଶେଷଜ୍ଞମାନଙ୍କ ପାଇଁ ୨୪୭ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯାଇଛି। ସେହିପରି ଜେଲ୍ ବିଭାଗର ଶତ ପ୍ରତିଶତ କର୍ମଚାରୀମାନଙ୍କୁ ମଧ୍ୟ ନୂଆ ଆଇନ ସମ୍ପର୍କରେ ପ୍ରଶିକ୍ଷଣ ଦିଆଯାଇଛି। ଜେଲ୍‌ରେ ଭିଡିଓ କନ୍‌ଫରେନ୍‌ସିଂ ପାଇଁ ମଧ୍ୟ ପଦକ୍ଷେପ ନିଆଯାଉଛି। ସେହିପରି ପ୍ରୋସିକ୍ୟୁସନ୍ କ୍ୟାଡର୍‌ରେ ମଧ୍ୟ ୨୬୭ଟି ଅତିରିକ୍ତ ପଦବୀ ସୃଷ୍ଟି କରାଯିବା ସହିତ ବିଏନ୍‌ଏସ୍‌ଏସ୍ ଆଇନ ଅନୁଯାୟୀ ଓଡ଼ିଶା ପ୍ରୋସିକ୍ୟୁସନ୍ ନିୟମାବଳୀରେ ମଧ୍ୟ ପରିବର୍ତ୍ତନ କରାଯିବ। ନ୍ୟାୟ ପ୍ରଦାନ ବ୍ୟବସ୍ଥାରେ ଜଡ଼ିତ ସମସ୍ତ ସଂସ୍ଥାଗୁଡ଼ିକ ଦକ୍ଷ ହେଲେ, ନ୍ୟାୟ ପ୍ରଦାନ ବ୍ୟବସ୍ଥା ତ୍ୱରିତ୍ ହେବ ଏବଂ ସମସ୍ତଙ୍କୁ ନ୍ୟାୟ ମିଳିପାରିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ବୈଠକରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍‌ସ ଓ ଆଇଟି ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ, ମୁଖ୍ୟମନ୍ତ୍ରୀଙ୍କ ଉପଦେଷ୍ଟା ପ୍ରକାଶ ମିଶ୍ର, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଅନୁ ଗର୍ଗ, ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ, ପୁଲିସ ମହାନିର୍ଦ୍ଦେଶକ ୱାଇବି ଖୁରାନିଆ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button