ଭାରତର ଚକ୍ରବ୍ୟୁହରେ ଫସିବ ପାକିସ୍ତାନ !: ଜାତିସଂଘ ଠାରୁ ୟୁଏନଏସସି ପର୍ଯ୍ୟନ୍ତ ପହଞ୍ଚିଲା ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା

ନୂଆଦିଲ୍ଲୀ: ଜାମ୍ମୁ କାଶ୍ମୀରର ପହଲଗାମରେ ହୋଇଥିବା କୁଖ୍ୟାତ ଆତଙ୍କବାଦୀ ଆକ୍ରମଣ ପରେ ସୋମବାର ଦିନ ମିଳିତ ଜାତିସଂଘ ସୁରକ୍ଷା ପରିଷଦ (ୟୁଏନଏସସି) ର ସାତୋଟି ଅସ୍ଥାୟୀ ସଦସ୍ୟ ଦେଶର ବୈଦେଶିକ ମନ୍ତ୍ରୀଙ୍କ ସହ ଏସ ଜୟଶଙ୍କର ଆଲୋଚନା କରିଛନ୍ତି। ମଙ୍ଗଳବାର ଦିନ ସ୍ଲୋଭେନିଆ, ପାନାମା, ଆଲଜେରିଆ ଏବଂ ଗୁଇନାର ପ୍ରତିପକ୍ଷଙ୍କ ସହ ପୃଥକ ଫୋନ୍ ବାର୍ତ୍ତାଳାପ ସମୟରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ଆଲୋଚନା କରିଥିଲେ। ଅନ୍ୟ ଅସ୍ଥାୟୀ ସଦସ୍ୟ ଦେଶଗୁଡ଼ିକ ମଧ୍ୟରେ ଡେନମାର୍କ, ପାକିସ୍ଥାନ ଏବଂ କୋରିଆ ଗଣତନ୍ତ୍ର ଅନ୍ତର୍ଭୁକ୍ତ। ବୈଦେଶିକ ମନ୍ତ୍ରୀ ମିଳିତ ଜାତିସଂଘର ସେକ୍ରେଟେରୀ ଜେନେରାଲ ଆଣ୍ଟୋନିଓ ଗୁଟେରସଙ୍କ ସହ ମଧ୍ୟ ଫୋନରେ କଥା ହୋଇ ଏହି ଆକ୍ରମଣର ଅପରାଧୀ, ଯୋଜନାକାରୀ ଏବଂ ସମର୍ଥକଙ୍କୁ ନ୍ୟାୟର କାଠକଡାରେ ଠିଆ କରିବାକୁ କହିଛନ୍ତି। ଗୁଟେରସଙ୍କ ସହ ଆଲୋଚନା ପରେ ଜୟଶଙ୍କର ସୋସିଆଲ ମିଡିଆରେ ଲେଖିଛନ୍ତି ଯେ, ମୁଁ ପହଲଗାମରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ସ୍ପଷ୍ଟ ନିନ୍ଦା କରିଛି। ଏହି ଆକ୍ରମଣର ଅପରାଧୀ, ଯୋଜନାକାରୀ ଏବଂ ସମର୍ଥକମାନେ ନ୍ୟାୟର କାଠକଡାରେ ଠିଆ କରିବା ପାଇନ ଭାରତ ସଂକଳ୍ପ ନେଇଛି।’