ଏପ୍ରିଲ୍ ୨୪ରେ ମିଳିବ ସୁଭଦ୍ରା, ଏକାଥରେ ୧୦ ହଜାର ପାଇବେ ହିତାଧିକାରୀ

ଭୁବନେଶ୍ୱର: ଆସନ୍ତା ଏପ୍ରିଲ୍ ୨୪ ଅର୍ଥାତ୍ ପଞ୍ଚାୟତିରାଜ ଦିବସ ଅବସରରେ ମିଳିବ ସୁଭଦ୍ରା ଟଙ୍କା। ୧ ଲକ୍ଷ ୭୦ ହଜାର ମହିଳା ପାଇବେ କିସ୍ତି। ଅର୍ଥାତ୍ ଦୁଇଟି କିସ୍ତିର ଟଙ୍କା ଏକା ସାଙ୍ଗରେ ପ୍ରଦାନ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍ତି ଯେ ପୁରୀଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଣ୍ଟାଯିବ ସୁଭଦ୍ରା ଟଙ୍କା। ଆସନ୍ତା ଏପ୍ରିଲ୍ ୨୪ ହେଉଛି ପଞ୍ଚାୟତିରାଜ ଦିବସ। ଏହି ଅବସରରେ ରାଜ୍ୟର ଏକ ଲକ୍ଷ ୭୦ ହଜାର ମହିଳାଙ୍କୁ ଦିଆଯିବ ଷଷ୍ଠ ପର୍ଯ୍ୟାୟ ସୁଭଦ୍ରା ଟଙ୍କା। ଦୁଇଟି କିସ୍ତି ଏକା ସାଙ୍ଗରେ ଦିଆଯିବ। ତେବେ ଯେଉଁମାନେ ମାର୍ଚ୍ଚ ୩୧ ସୁଦ୍ଧା ଆବେଦନ କରିଥିଲେ ସେମାନଙ୍କୁ ମିଳିବ ସୁଭଦ୍ରା ଟଙ୍କା। ଅଯୋଗ୍ୟ ହିତାଧିକାରୀଙ୍କ ସର୍ଭେ ପରେ ତୃତୀୟ କିସ୍ତି ଦିଆଯିବ। ତୃତୀୟ କିସ୍ତି ପରେ ଯେଉଁମାନଙ୍କୁ ୨୧ବର୍ଷ ହୋଇଥିବ ସେମାନେ କରିପାରିବେ ଆବେଦନ। ତେବେ ମାର୍ଚ୍ଚ ୩୧ ତାରିଖରେ ଆବେଦନର ଶେଷ ହେବ ବୋଲି କୁହାଯାଇଥିଲା। କିଛି ଲୋନ୍ ପାଇଁ ତାଙ୍କର ଆଇଟି ରିଟର୍ଣ୍ଣ ୫ ଲକ୍ଷରୁ ଊର୍ଦ୍ଧ୍ୱ ବୋଲି ଦର୍ଶାଇଥିବାରୁ ସୁଭଦ୍ରାର ଦ୍ୱିତୀୟ କିସ୍ତି ମିଳିନାହିଁ। ଏହା ଉପରେ ତର୍ଜମା ଚାଲିଛି। ଘରକୁ ଘର ଯାଇ ସର୍ଭେ ହେବ। କେଉଁ କ୍ୟଟେଗୋରିରେ କିଭଳି ଅଯୋଗ୍ୟ ହୋଇଛନ୍ତି। ସେନେଇ ତର୍ଜମା ହେବ। ଯେଉଁମାନେ ଧନୀବର୍ଗର ଅଛନ୍ତି ସେମାନେ ବାଦ ପଡ଼ିଯାଆନ୍ତୁ ପଛେ ଯେଉଁ ପ୍ରକୃତରେ ଯୋଗ୍ୟ ସେମାନଙ୍କୁ ନିଶ୍ଚିତ ମିଳିବ ସୁଭଦ୍ରା ଟଙ୍କା। ଅଯୋଗ୍ୟଙ୍କୁ ବିଭିନ୍ନ ବର୍ଗରେ ଭାଗ କରାଯାଇ ସ୍କୁଟିନିଂ ହେବ। ଏପ୍ରିଲ ୧୪ ପରେ ଘରକୁ ଘର ବୁଲି ପୁଣି ସର୍ଭେ କରାଯିବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ। ଏକ ଲକ୍ଷ ହିତାଧିକାରୀ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଛନ୍ତି। ସେଇ ଏକ ଲକ୍ଷ ମହିଳା ଏବଂ ୧ ଲକ୍ଷ ୭୦ ହଜାର ହିତାଧିକାରୀଙ୍କ ମଧ୍ୟରୁ ଯେଉଁମାନେ ବାଦ ପଡ଼ିବେ ତାଙ୍କ ପାଇଁ ବ୍ୟକ୍ତିଗତ ଭାବେ ଘରକୁ ଘର ବୁଲି ସର୍ଭେ କରାଯିବ। କାହିଁକି ସେମାନେ ପ୍ରଥମ କିସ୍ତି ପରେ ଦ୍ୱିତୀୟ କିସ୍ତିରୁ ବାଦ ପଡ଼ିଛନ୍ତି। ତା’ପରେ ସାମୂହିକ କାର୍ଯ୍ୟକ୍ରମ ହେବ ବୋଲି କହିଥିଲେ ଉପମୁଖ୍ୟମନ୍ତ୍ରୀ। ସୁଭଦ୍ରା ଯୋଜନା ହେଉଛି ବିଜେପି ସରକାରଙ୍କ ଏକ ମହିଳା କେନ୍ଦ୍ରିକ ଯୋଜନା। ଏଥିରେ ମହିଳାଙ୍କୁ ୫ ବର୍ଷରେ ୫୦ ହଜାର ଟଙ୍କା ପ୍ରଦାନ କରିବେ ସରକାର। ବର୍ଷକୁ ୨ଟି କିସ୍ତିରେ ଟଙ୍କା ପ୍ରଦାନ କରାଯାଉଛି। ମହିଳା ଦିବସରେ ପ୍ରଥମ କିସ୍ତି ଓ ରାକ୍ଷୀପୂର୍ଣ୍ଣିମାରେ ଦ୍ୱିତୀୟ କିସ୍ତି ଦେବାକୁ ସରକାର ଘୋଷଣା କରିଥିଲେ। ପ୍ରତି କିସ୍ତିରେ ୫ ହଜାର ଟଙ୍କା ପ୍ରଦାନ କରାଯାଉଛି। ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିନରେ ଏହି ଯୋଜନା ଓଡ଼ିଶାରେ ଲାଗୁ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନିଜେ ଭୁବନେଶ୍ୱର ଆସି ଏହି ଯୋଜନାର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ ରାଜ୍ୟର ଏକ କୋଟି ମହିଳାଙ୍କୁ ସୁଭଦ୍ରା ଟଙ୍କା ପ୍ରଦାନ କରିଛନ୍ତି ରାଜ୍ୟ ସରକାର ବୋଲି ସେ କହିଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button