୫ମ ପାଳି ଶାସନର ୨ ବର୍ଷ ପୂର୍ତ୍ତି: ସନ୍ଧ୍ୟାରେ ମନ୍ତ୍ରୀ ପରିଷଦ ବୈଠକ

ଭୁବନେଶ୍ୱର: ରାଜ୍ୟରେ ନବୀନ ସରକାରଙ୍କ ପଞ୍ଚମ ପାଳିକୁ ପୂରିଛି ୨ ବର୍ଷ। ଦୁଇ ବର୍ଷ ତଳେ ମେ’ ୨୯ ତାରିଖରେ ନବୀନ ପଟ୍ଟନାୟକ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଭାବେ ପଞ୍ଚମ ଥର ପାଇଁ ଶପଥ ଗ୍ରହଣ କରିଥିଲେ। ତେବେ ଏହି ଅବସରରେ ଶନିବାର ସନ୍ଧ୍ୟା ସାଢ଼େ ୫ଟାରେ ମନ୍ତ୍ରୀ ପରିଷଦର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ ବୋଲି ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ବୈଠକ ବସିବ। କୋରୋନା ସହ ବାତ୍ୟାର ମୁକାବିଲା ନେଇ ଏଥିରେ ଆଲୋଚନା ହୋଇପାରେ ବୋଲି ଚର୍ଚ୍ଚା ହେଉଛି। ଏଥିସହ ଆଗାମୀ ଦିନରେ ରାଜ୍ୟ ସରକାର ଓ ପ୍ରଶାସନର ଆଭିମୁଖ୍ୟ କ’ଣ ରହିବ, ସେ ସମ୍ପର୍କରେ ମଧ୍ୟ ବାର୍ତ୍ତା ଦେଇପାରନ୍ତି ମୁଖ୍ୟମନ୍ତ୍ରୀ। ରାଜନୈତିକ ସ୍ତରରେ ସରକାର ଅନେକ ସଫଳତା ହାସଲ କରିଛନ୍ତି ନବୀନ। ଉଭୟ ବାଲେଶ୍ବର ଏବଂ ତିର୍ତ୍ତୋଲ ଉପନିର୍ବାଚନରେ ଶାସକ ବିଜେଡି ବିଜୟ ଲାଭ କରିଛି। ରାଜନୈତିକ ଦୃଷ୍ଟି କୋଣରୁ ନବୀନ ସରକାର ପ୍ରତି ଏବେ କୌଣସି ବିପଦ ନାହିଁ। ଏଭଳି ଏକ ବଡ଼ ସଫଳତା ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପଞ୍ଚମ ପାଳିର ଦ୍ବିତୀୟ ବର୍ଷ ଶେଷ ହୋଇଛି। ହେଲେ କୋରୋନା, ବାତ୍ୟା ଓ ବନ୍ୟା ଭଳି ବିପର୍ଯ୍ୟୟ ସରକାରଙ୍କ ରାସ୍ତାକୁ ଅବରୋଧ କରିଛି। ସରକାର ଆସିବା ପରେ ଫନି ଚ୍ୟାଲେଞ୍ଜ, ତା’ ପରେ କରୋନା ମହାମାରୀ, ଏବେ ପୁଣି ବାତ୍ୟା ୟାସ୍ ରାଜ୍ୟରେ ଧ୍ୱଂସଲୀଳା କରିଛି। ଜାରି ରହିଛି ରିଲିଫ୍‌ ଓ ପୁନର୍ବାସ ଥଇଥା କାର୍ଯ୍ୟ। ଏକାସଙ୍ଗେ ରାଜ୍ୟ ୨ଟି ମୁକାବିଲାକୁ ସାମ୍ନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ଏହାକୁ ନେଇ କିଛି ବାର୍ତ୍ତା ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। ଏହାରି ଭିତରେ ରାଜ୍ୟ ସରକାର ଓ ପ୍ରଶାସନର ଆଭିମୁଖ୍ୟ ଆଗାମୀ ଦିନରେ କ’ଣ ରହିବ, ସେ ସମ୍ପର୍କରେ ଆଜି ସନ୍ଧ୍ୟାରେ ହେବାକୁ ଥିବା ବୈଠକରେ ମୁଖ୍ୟମନ୍ତ୍ରୀ ବାର୍ତ୍ତା ଦେଇପାରନ୍ତି।  ଗତ ବର୍ଷ ୫ମ ବର୍ଷର ପୂର୍ତ୍ତି ଉପଲକ୍ଷେ ରାଜ୍ୟ କ୍ୟାବିନେଟ୍‌ ଓ ମନ୍ତ୍ରୀ ପରିଷଦ ବୈଠକ ବସିଥିଲା। ସେଥିରେ ମୁଖ୍ୟମନ୍ତ୍ରୀ ପ୍ରାୟ ୧୭ହଜାର କୋଟିର ପ୍ୟାକେଜ ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button