ହାଇକୋର୍ଟର ମୁଖ୍ୟ ବିଚାରପତି ହରୀଶ୍ ଟଣ୍ଡନଙ୍କ ଶପଥ ଗ୍ରହଣ

ଭୁବନେଶ୍ବର: ଓଡ଼ିଶା ହାଇକୋର୍ଟର ନୂତନ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ହରୀଶ ଟଣ୍ଡନ୍ ଆଜି ପୂର୍ବାହ୍ନରେ ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟ ପୁରୁଣା ବିଲ୍ଡିଙ୍ଗ୍ରେ ଆୟୋଜିତ ଏକ ଉତ୍ସବରେ ରାଜ୍ୟପାଳ ହରିବାବୁ କମ୍ଭମପଟି ଜଷ୍ଟିସ୍ ଟଣ୍ଡନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ । ଏହି ଶପଥଗ୍ରହଣ ଉତ୍ସବରେ ହାଇକୋର୍ଟର ସମସ୍ତ ବିଚାରପତି, ଅବସରପ୍ରାପ୍ତ ବିଚାରପତି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା, ଆଇନମନ୍ତ୍ରୀ ପୃଥୀରାଜ ହରିଚନ୍ଦନ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର, ଆଡ୍ଭୋକେଟ୍ ଜେନେରାଲ୍ ପୀତାମ୍ବର ଆଚାର୍ଯ୍ୟ, ସମସ୍ତ ବିଚାର ବିଭାଗୀୟ ଅଧିକାରୀ,ହାଇକୋର୍ଟ ବାର୍ ଆସୋସିଏସନ୍ର ସମସ୍ତ କର୍ମକର୍ତ୍ତା, ଆଇନଜୀବୀମାନେ ଯୋଗ ଦେଇଥିଲ। ସୂଚନାଥାଉକି ସୁପ୍ରିମ୍କୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନାଙ୍କ ଅଧ୍ୟକ୍ଷତାରେ ଚଳିତମାସ ୬ ତାରିଖରେ ଅନୁଷ୍ଠିତ ସୁପ୍ରିମ୍କୋର୍ଟ କଲେଜିୟମ୍ ବୈଠକରେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ପଦବୀ ନିମନ୍ତେ ଜଷ୍ଟିସ୍ ଟଣ୍ଡନଙ୍କ ନାମ ନିଯୁକ୍ତି ପାଇଁ ସୁପାରିଶ କରାଯାଇଥିଲା । ଏହା ପରେ ରାଷ୍ଟ୍ରପତି ଏହାକୁ ଅନୁମୋଦନ କରିଥିଲେ । ଜଷ୍ଟିସ୍ ଟଣ୍ଡନ ୧୯୬୪ ନଭେମ୍ବର ୧୬ରେ କଲିକତାରେ ଜନ୍ମଗ୍ରହଣ କରିଥିଲେ। କଲିକତା ବିଶ୍ୱବିଦ୍ୟାଳୟରୁ ୧୯୮୯ରେ ଆଇନ ଶିକ୍ଷାରେ ଡିଗ୍ରି ହାସଲ କରିବା ପରେ ୧୯୮୯ ସେପ୍େଟମ୍ବର ୨୬ରେ ସେ କଲିକତା ହାଇକୋର୍ଟରେ ଆଇନଜୀବୀ ଭାବେ ଯୋଗ ଦେଇଥିଲେ। ସେ ସିଟି ସିଭିଲ୍ କୋର୍ଟ, ଡିଆର୍ଟି ଓ ସୁପ୍ରିମ୍କୋର୍ଟରେ ମଧ୍ୟ ଆଇନଜୀବୀ ଭାବେ ଏକାଧିକ ମାମଲା ପରିଚାଳନା କରିଥିଲେ। ଜଣେ ଦକ୍ଷ ଆଇନଜୀବୀ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୧୦ ଏପ୍ରିଲ ୧୩ରେ ତାଙ୍କୁ କଲିକତା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ନିଯୁକ୍ତି ମିଳିଥିଲା।