ନ୍ୟୁଜିଲାଣ୍ଡକୁ ୪ ୱିକେଟ୍ରେ ହରାଇଲା ଟିମ୍ ଇଣ୍ଡିଆ, ଭାରତ ପୁଣି ବିଶ୍ୱ ଚାମ୍ପିଅନ୍

ଦୁବାଇ, ନୂଆଦିଲ୍ଲୀ : ୯ ମାର୍ଚ୍ଚ୨୦୨୫ କେବଳ ଭାରତୀୟ କ୍ରିକେଟ୍ ପାଇଁ ନୁହେଁ ବରଂ ସମଗ୍ର ବିଶ୍ୱ କ୍ରିକେଟ ଇତିହାସରେ ସ୍ୱର୍ଣ୍ଣିମ ଅକ୍ଷରରେ ଲେଖାଯାଇଛି। ଆଇସିସି ଚାମ୍ପିଅନ୍ସ ଟ୍ରଫି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ରେ ଭାରତ, ପ୍ରତିପକ୍ଷ ଟିମ୍ ନ୍ୟୁଜିଲାଣ୍ଡ୍ (କିୱି)କୁ ୪ ୱିକେଟ୍ରେ ପରାସ୍ତ କରିଛି। ଭାରତ ଚାମ୍ପିଅନ୍ସ ଟ୍ରଫି ଟାଇଟାଲ-୨୦୨୫ ଜିତିବାରେ ସଫଳ ହୋଇଛି। ଭାରତୀୟ କ୍ରିକେଟ୍ ଟିମ୍ ସବୁ କ୍ଷେତ୍ରରେ ଭଲ ପ୍ରଦର୍ଶନ କରିବା ଫଳରେ କିୱି ଟିମ୍କୁ ଶୋଚନୀୟ ପରାଜୟବରଣ କରିବାକୁ ପଡିଛି। ଏହି ବିଜୟ ସହ ଭାରତ ୨୦୦୦ ମସିହାରେ ଖେଳାଯାଇଥିବା ଚାମ୍ପିଅନ୍ସ ଟ୍ରଫି ଫାଇନାଲ ମ୍ୟାଚ୍ରେ ମିଳିଥିବା ପରାଜୟର ପ୍ରତିଶୋଧ ନେବା ସହ ୩ୟ ଥର ପାଇଁ ଟାଇଟଲ୍ ଜିତିବାର ସ୍ୱପ୍ନକୁ ମଧ୍ୟ ସାକାର କରିଛି। ଅନ୍ୟପକ୍ଷେ ଦ୍ୱିତୀୟ ଥର ପାଇଁ ଟାଇଟଲ୍ ଜିତିବାର ଯେଉଁ ଆଶା ନ୍ୟୁଜିଲାଣ୍ଡ୍ କରିଥିଲା ତାହା ଧୂଳିସାତ୍ ହୋଇଯାଇଛି। ୧୪୦ କୋଟି ଭାରତୀୟଙ୍କ ସ୍ୱପ୍ନ ସାକାର ହୋଇଛି। ୨୦୨୫ ଚାମ୍ପିଅନ୍ସ ଟ୍ରଫି ଭାରତ ନିଜ ନାମରେ କରିନେଇଛି। ଦୁବାଇ ଇଣ୍ଟରନ୍ୟାସନାଲ ଗ୍ରାଉଣ୍ଡ୍ରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ରବିବାର ଏହି ଫାଇନାଲ ମ୍ୟାଚ୍ ଖେଳାଯାଇଛି। ଏଥିରେ ପ୍ରଥମେ ଟସ୍ ଜିତି ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ୍ ଟିମ୍ ୫୦ ଓଭର ସୁଦ୍ଧା ୭ ୱିକେଟ୍ ହରାଇ ୨୫୧ ରନ୍ କରିଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଡ଼େରିଲ୍ ମିଚେଲ୍ ସର୍ବାଧିକ ରନ୍ (୬୩ ରନ୍) ସଂଗ୍ରହ କରିଥିଲେ। ସେହିପରି ଗ୍ଲେନ୍ ଫିଲିପ୍ସ (୩୪ ରନ୍), ରଚିନ୍ ରବୀନ୍ଦ୍ର (୩୭ ରନ୍), ୱିଲ୍ ୟଙ୍ଗ୍ (୧୫) ଏବଂ କେନ୍ ୱିଲିୟମସନ୍ (୧୧ରନ୍)ଙ୍କ ବଳରେ ଦଳ ଏକ ସମ୍ମାନଜନକ ସ୍କୋର କରିପାରିଥିଲା। ବାସ୍ତବରେ ଭାରତୀୟ ସ୍ପିନରମାନେ କିୱି ଦଳର ବ୍ୟାଟିଂ ଲାଇନ୍ ଅପ୍କୁ ଧ୍ୱସ୍ତ ବିଧ୍ୱସ୍ତ କରିଦେଇଥିଲେ। କୁଲଦୀପ ଯାଦବ ଏବଂ ବରୁଣ ଚକ୍ରବର୍ତ୍ତୀ କିୱି ଖେଳାଳିଙ୍କ ଡ୍ରେସିଂ ରୁମ୍ରେ ଆତଙ୍କ ଖେଳାଇଥିଲେ। ଉଭୟ ଭାରତୀୟ ସ୍ପିନର ୨ଟି ଲେଖାଏ ୱିକେଟ୍ ଅକ୍ତିଆର କରିଥିଲେ। ତେବେ ୨୫୧ ରନ୍ରେ କିୱି ଦଳ ସୀମିତ ହୋଇଯିବା ଫଳରେ ଭାରତ ଆଗରେ ୨୫୨ ରନ୍ର ଏକ ସହଜସାଧ୍ୟ ବିଜୟ ଲକ୍ଷ୍ୟ ରହିଥିଲା। ଏହି ଲକ୍ଷ୍ୟକୁ ନେଇ ଭାରତୀୟ ବ୍ୟାଟିଂ ଲାଇନ୍ଅପ୍ ପଡ଼ିଆକୁ ଓହ୍ଲାଇଥିଲା। ଗ୍ରାଉଣ୍ଡରେ ଉପସ୍ଥିତ ଲକ୍ଷ୍ୟାଧିକ ଭାରତୀୟ ପ୍ରଶଂସକଙ୍କ ମଧ୍ୟରେ ଭାରତୀୟ ଟିମ୍, ନ୍ୟୁଜିଲାଣ୍ଡ୍ ଟିମ୍ ବିପକ୍ଷରେ ବେଶ୍ ଫେଭରିଟ୍ ରହିଥିଲା। ରୋହିତ ଶର୍ମା ଏବଂ ଶୁଭମନ୍ ଗିଲ୍ ଓପନିଂ ଯୋଡି ଭାବେ ଭାରତୀୟ ଇନିଂସ ଆରମ୍ଭ କରିଥିଲେ। ରୋହିତ ନିଜ ଚିରାଚରିତ ଅନ୍ଦାଜ ସହ ଅଧିନାୟକ ପାଳି ଖେଳିଥିଲେ। ଗିଲ୍ ମଧ୍ୟ ତାଙ୍କୁ ପୂର୍ଣ୍ଣ ସହଯୋଗ କରିଥିଲେ। ଗୋଟିଏ ପଟେ ରୋହିତ ବିସ୍ଫୋରକ ଖେଳ ଜାରି ରଖିଥିବା ବେଳେ ଗିଲ୍ ରକ୍ଷଣାତ୍ମକ ଖେଳ ଖେଳିଥିଲେ। ରୋହିତ-ଗିଲ୍ ଯୋଡି ୧୪ ଓଭର ଶେଷ ସୁଦ୍ଧା ୮୬ ରନ୍ ସଂଗ୍ରହ କରିନେଇଥିଲେ। ଏହି ସମୟ ସୁଦ୍ଧା ନ୍ୟୁଜିଲାଣ୍ଡ୍ ଫିଲ୍ଡର ରୋହିତଙ୍କ ଏକ କ୍ୟାଚ୍ ହାତଛଡା ମଧ୍ୟ କରିଥିଲେ। ରୋହିତ ୫୩ ବଲ୍ ଖେଳି ୬୩ ରନ୍ କରିନେଇଥିଲେ। ସେହିପରି ଗିଲ୍ ୩୩ ବଲ୍ ଖେଳି ୨୩ ରନ୍ କରିଥିଲେ। ତେବେ ଶୁଭମନ୍ ଗିଲ୍ ପ୍ରଥମ ୱିକେଟ୍ ଭାବେ .୩୧ ରନ୍ କରି ଆଉଟ୍ ହୋଇଥିଲେ। ତାଙ୍କ ସ୍ଥାନରେ ପଡ଼ିଆକୁ ଓହ୍ଲାଇଥିବା ଅନ୍ୟତମ ଷ୍ଟାର ଖେଳାଳି ବିରାଟ କୋହଲି ମାତ୍ର ୨ ବଲ୍ରେ ୧ ରନ୍ କରି ପାଭିଲିୟନ୍ ଫେରିଥିଲେ। ବିରାଟ ବ୍ରେସୱେଲ୍ଙ୍କ ସ୍ପିନ୍ ବଲ୍କୁ ବୁଝିପାରିନଥିଲେ ଏବଂ ଏଲ୍ବିଡବ୍ଲ୍ୟୁ ଆଉଟ୍ ହୋଇଯାଇଥିଲେ। ଭାରତର ୨ୟ ୱିକେଟ୍ ପତନ ବେଳକୁ ଦଳୀୟ ସ୍କୋର ୧୦୮ ରହିଥିଲା ତେବେ ଅଧିନାୟକ ରୋହିତ୍ କିନ୍ତୁ ପଡ଼ିଆରେ ଅଟଳ ମେରୁ ଭଳି ଦଣ୍ଡାୟମାନ୍ ରହିôଲେ। ୨୦ ଓଭର ଶେଷ ବେଳକୁ ଦଳୀୟ ସ୍କୋର ୨ୱିକେଟ୍ ହରାଇ ୧୦୮ ରହିଥିଲା। ରୋହିତ ୬୭ ବଲ୍ ଖେଳି ବ୍ୟକ୍ତିଗତ ସ୍ତରରେ ୭୦ରନ୍ କରିସାରିଥିଲେ। ତେବେ ରୋହିତ ଶର୍ମା ୮୩ ବଲ୍ ଖେଳି ୭୬ ରନ୍ (୭ ଚୌକା, ୩ ଛକା) କରି ୩ୟ ୱିକେଟ୍ ଭାବେ ଆଉ୍ଟ୍ ହୋଇଥିଲେ। ଶ୍ରେୟସ ଆୟର ଏବଂ ଅକ୍ଷର ପଟେଲ୍ ପାର୍ଟନରସିପ୍ ପୂର୍ବକ ଭାରତୀୟ ସ୍କୋରକୁ ଆଗକୁ ବଢ଼ାଇଥିଲେ। ତେବେ ଏମାନଙ୍କ ପାର୍ଟନରସିପ୍ ଅଧିକ ସମୟ ଧରି ତିଷ୍ଠି ପାରିନଥିଲା। ଉଭୟ ଶ୍ରେୟସ ଆୟର ୪୮ ରନ୍ ଏବଂ ଅକ୍ଷର ୨୯ ରନ୍ କରି କ୍ୟାଚ୍ଆଉଟ୍ ହୋଇଥିଲେ। ତେବେ କେଏଲ୍ ରାହୁଲ ଏବଂ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟାଟ୍ ଗର୍ଜିବା ଜାରି ରଖିଥିଲା। ହାର୍ଦ୍ଦିକ ୧୮ ରନ୍ କରି ଆଉଟ୍ ହେବା ବେଳକୁ ଭାରତ ବିଜୟର ନିକଟତର ହୋଇସାରିଥିଲା। ଗୋଟିଏ ପଟେ ରାହୁଲ ସ୍କୋରବୋଡ୍କୁ ବ୍ୟସ୍ତ ରଖିଥିବା ବେଳେ ରବୀନ୍ଦ୍ର ଜାଡେଜା ତାଙ୍କୁ ପୁରା ସାଥ୍ ଦେଇଥିଲୋ। ରାହୁଲ ୩୨ ବଲ୍ରେ ୩୩ ରନ୍ କରିଥିବା ବେଳେ ଜାଡେଜା ବିଜୟୀ ଚୌକା ମାରିବା ସହ ୬ ବଲ୍ରେ ୯ ରନ୍ କରି ଭାରତକୁ ବିଜୟୀ କରାଇଥିଲେ। ଆଇସିସି ଚାମ୍ପିଅନ୍ସ ଟ୍ରଫି-୨୦୨୫ ଟୁର୍ଣ୍ଣାମେଟ୍ର ପୁରା ପ୍ରତିଯୋଗିତାରେ ଏକମାତ୍ର ଦଳ ଭାବେ ଅପରାଜେୟ ରହିଆସିଥିବା ଭାରତୀୟ ଟିମ୍ ଆଜିର ଏହି ଫାଇନାଲ୍ ମ୍ୟାଚ୍ ଜିତି ଭାରତୀୟ କ୍ରିକେଟ୍ପ୍ରେମୀଙ୍କ ଆଶା, ବିଶ୍ୱାସକୁ ଜିତିବାରେ ସଫଳ ହୋଇଛି ତାହା ନୁହେଁ ବରଂ ଦୀର୍ଘ ୧୨ବର୍ଷ ପରେ ପୁଣିଥରେ ଚାମ୍ପିଅନ୍ସ ଟ୍ରଫି ଜିତି ଏକ ବିରଳ ରେକର୍ଡ ମଧ୍ୟ ସୃଷ୍ଟି କରିଛି। ପ୍ରକାଶ, ୨୦୧୭ରେ ଶେଷଥର ପାଇଁ ଆଇସିସି ଚାମ୍ପିଅନ୍ସ ଟ୍ରଫି ଖେଳାଯାଇଥିବା ବେଳେ ପାକିସ୍ତାନ ଟାଇଟଲ୍ ଜିତିଥିଲା। ୨୦୨୧ରେ ଆଇସିସି ପକ୍ଷରୁ ଏହି ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରାଯାଇନଥିଲା। ତେବେ ୨୦୨୫ରେ ଆଇସିସି ଚାମ୍ପିଅନ୍ସ ଟ୍ରଫି ପାଇଁ ପାକିସ୍ତାନ ଆୟୋଜକ ସାଜିଥିଲେ ମଧ୍ୟ ଭାରତ ନିଜର ସବୁତକ ମ୍ୟାଚ୍ ହାଇବ୍ରିଡ୍ ମୋଡ୍ ଅନୁସାରେ ଦୁବାଇରେ ହିଁ ଖେଳିଥିଲା। ଏପରିକି ଭାରତ ସହ ମ୍ୟାଚ୍ ଖେଳିବା ପାଇଁ ମଧ୍ୟ ପାକିସ୍ତାନକୁ ଦୁବାଇ ଗସ୍ତ କରିବାକୁ ପଡ଼ିଥିଲା।