ବଡ଼ ଗେମ୍ ଖେଳିଲେ ଟ୍ରମ୍ପ୍: ୟୁକ୍ରେନ୍‌କୁ ସାମରିକ ସହାୟତା ବନ୍ଦ କଲା ଆମେରିକା

କିଭ, ୱାଶିଂଟନ୍‌ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଓ ୟୁକ୍ରେନ ରାଷ୍ଟ୍ରପତି ଭୋଲଡିମିର ଜେଲେନସ୍କିଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା, ଯାହାକୁ ନେଇ ବିଶ୍ୱସ୍ତରରେ ଏବେବି ବେଶ୍ ଚର୍ଚ୍ଚା ଜାରି ରହିଛି। କିଛି ଦିନ ତଳେ ଓଭାଲ ଅଫିସରେ ଉଭୟ ଦେଶର ନେତାଙ୍କ ମଧ୍ୟରେ ଏହି ବାକ୍ ତିକ୍ତତା ସୃଷ୍ଟି ହୋଇଥିବା ବେଳେ ଏହି ଘଟଣାର ହାତଗଣତି କିଛି ଦିନ ମଧ୍ୟରେ ଏବେ ୟୁକ୍ରେନକୁ ସାମରିକ ସହାୟତା ବନ୍ଦ କରିଛି ଆମେରିକା। ଟ୍ରମ୍ପ୍‌, ଆମେରିକା ପକ୍ଷରୁ ୟୁକ୍ରେନ୍‌କୁ ଯୋଗାଇଦିଆଯାଉଥିବା ସମସ୍ତ ସାମରିକ ସହାୟତାକୁ ଆକସ୍ମିକ ଭାବେ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ସୋମବାର ଟ୍ରମ୍ପ୍‌ଙ୍କ ଏପ୍ରକାର ନିର୍ଦ୍ଦେଶନାମା ଆସିଥିବା ୱାଶିଂଟନ୍ ପୋଷ୍ଟ ରିପୋର୍ଟ ପ୍ରକାଶ କରିଛି। ତେବେ ରୁଷ୍ ସହ ଯୁଦ୍ଧ ବନ୍ଦ କରିବା ତଥା ଶାନ୍ତି ଆଲୋଚନା ପାଇଁ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ ଉପରେ ଚାପ ପକାଇବା ଉଦ୍ଦେଶ୍ୟରେ ଟ୍ରମ୍ପ୍ ଏଭଳି ନିଷ୍ପତ୍ତି ନେଇଥିବା ଅନୁମାନ କରାଯାଉଛି। ହ୍ୱାଇଟ୍ ହାଉସର ଜଣେ ଅଧିକାରୀ ନିଜ ନାମ ଗୋପନ ରଖିବା ସର୍ତ୍ତରେ ସୂଚନା ଦେଇ କହିଛନ୍ତି ଯେ, ୩ବର୍ଷ ଧରି ରୁଷ୍‌-ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧର ଅନ୍ତ ପାଇଁ ରାଷ୍ଟ୍ରପତି ଟ୍ରମ୍ପ ଏକ ଶାନ୍ତି ଚୁକ୍ତି ସ୍ୱାକ୍ଷରିତ ହେବା ଉପରେ ଗୁରୁତ୍ୱ ଦେଉଛନ୍ତି ଏବଂ ଜେଲେନସ୍କି ମଧ୍ୟ ସେହି ଲକ୍ଷ୍ୟ ରଖନ୍ତୁ ବୋଲି ସେ ଚାହୁଁଛନ୍ତି। ଆମେରିକା ରୁଷ-ୟୁକ୍ରେନ୍ ଯୁଦ୍ଧ ଶେଷ ପାଇଁ ଏବେ ସାମରିକ ସହାୟତାକୁ ରୋକି ସ୍ଥିତିର ସମୀକ୍ଷା କରିବ। ସାମରିକ ସହାୟତା ବନ୍ଦ ହେବା ଦ୍ୱାରା ୟୁକ୍ରେନ୍‌କୁ ନିଶ୍ଚିତ ରୂପେ ଏହା ପ୍ରଭାବିତ କରିବ ଏବଂ ଆଗକୁ ଯୁଦ୍ଧ ଜାରି ରଖିବାରେ ସମସ୍ୟା ଉପୁଜିବ। ତେବେ ଏହା ଉପରେ ଜେଲେନ୍‌ସ୍କି ଚିନ୍ତା କରିବେ ବୋଲି ଆଶା କରାଯାଉଛି। ତଥାପି ପରବର୍ତ୍ତୀ ସମୟରେ ସ୍ଥିତି ସମୀକ୍ଷା ପରେ ଯାହାକିଛି ଆଗାମୀ ପଦକ୍ଷେପ ନିଆଯିବ। ସେହିପରି ହ୍ୱାଇଟ୍ ହାଉସର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ, ୟୁକ୍ରେନ୍ ଭିତରେ ଏପର୍ଯ୍ୟନ୍ତ ନଥିବା ସମସ୍ତ ସାମରିକ ଉପକରଣ ଉପରେ ହିଁ ରୋକ୍ ଲଗାଯିବ। ଗତ ସପ୍ତାହରେ ଜେଲେନସ୍କି କରିଥିବା ଖରାପ ଆଚରଣ ପାଇଁ ଟ୍ରମ୍ପ ଏଭଳି ନିଷ୍ପତ୍ତି ନେଇଛନ୍ତି। ଯଦି ଜେଲେନ୍ସକି ଯୁଦ୍ଧ ସମାପ୍ତ କରିବା ପାଇଁ ପୁଣି ଆଲୋଚନା କରିବାକୁ ଅନୁରୋଧ କରନ୍ତି ତେବେ ଯାଇ ବିରତି ପ୍ରତ୍ୟାହାର କରାଯାଇପାରିବ। ରୋକ୍ ଲାଗିଥିବା ସାମରିକ ଅସ୍ତ୍ରରେ ରହିଛି ଆଣ୍ଟି-ଟ୍ୟାଙ୍କ୍ ଅସ୍ତ୍ରଶସ୍ତ୍ର, ହଜାର ହଜାର ତୋପ ଏବଂ ରକେଟ୍ ଭଳି ଗୁରୁତ୍ୱପୂର୍ଣ୍ଣ ଯୁଦ୍ଧାସ୍ତ୍ର।

Related Articles

Leave a Reply

Your email address will not be published. Required fields are marked *

Back to top button