ଯୌନ ନିର୍ଯାତନା ମାମଲାରେ ତେଜପାଲ୍ ନିର୍ଦୋଷରେ ଖଲାସ

ପାଣାଜୀ: ଶୁକ୍ରବାର ବରିଷ୍ଠ ସାମ୍ବାଦିକ ତଥା ତେହଲକା ପ୍ରତିଷ୍ଠାତା ସମ୍ପାଦକ ତରୁନ୍ ତେଜପାଲ୍ ଯୌନ ନିର୍ଯାତନା ମାମଲାରେ ନିର୍ଦୋଷରେ ଖଲାସ ହୋଇଛନ୍ତି। ଗତ ୨୦୧୩ରେ ଜଣେ ମହିଳା ସହଯୋଗୀ ଗୋଆର ଏକ ତାରକା ହୋଟେଲରେ ତାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗ ଆଣିଥିଲେ। ନିର୍ଦୋଷରେ ଖଲାସ ହେବା ପରେ ତେଜପାଲ୍ ଏକ ବିବୃତି ଜାରି କରି କହିଛନ୍ତି ଯେ ଗତ ୨୦୧୩ ନଭେମ୍ବରରେ ତାଙ୍କ ବିରୋଧରେ ମହିଳା ସହଯୋଗୀ ଜଣକ ମିଥ୍ୟା ଅଭିଯୋଗ ଆଣିଥିଲେ। ଗୋଆ କୋର୍ଟର ଅତିରିକ୍ତ ଦୌରାଜଜ୍ କ୍ଷମା ଜୋଶୀ ଏହା ପ୍ରମାଣିତ କରିଛନ୍ତି। ତେଣୁ ତାଙ୍କୁ ତରୁଣ ଧନ୍ୟବାଦ ଦେବା ସହ ଶେଷରେ ସତ୍ୟର ବିଜୟ ହୋଇଛି ବୋଲି ଉକ୍ତ ବିବୃତିରେ କହିଛନ୍ତି। ଅନ୍ୟପକ୍ଷରେ ଏହି ମାମଲା ଲଢ଼ୁଥିବା ପ୍ରତିପକ୍ଷ ଓକିଲ ଫ୍ରାନସିସକୋ ଟାଭୋରା ହାଇକୋର୍ଟରେ ଏହାକୁ ଚ୍ୟାଲେଞ୍ଜ୍ କରିବେ ବୋଲି କହିଛନ୍ତି। ଉତ୍ତର ଗୋଆର ଏକ ତାରକା ହୋଟେଲରେ ତେହଲକା ପକ୍ଷରୁ ତରୁଣ ଏକ ଇଭେଣ୍ଟର ଆୟୋଜନ କରିଥିଲେ। ଉକ୍ତ ଇଭେଣ୍ଟରେ ମଦ୍ୟପାନ କରିଥିବା ତରୁଣ ତାଙ୍କର ଜଣେ ମହିଳା ସହଯୋଗୀଙ୍କୁ ଲିଫ୍ଟରେ ଅଶାଳୀନ ବ୍ୟବହାର କରିବା ସହ ଯୌନ ସମ୍ପର୍କ ସ୍ଥାପନ କରିବା ସକାଶେ ଉଦ୍ୟମ କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ଏନେଇ ୨୦୧୩ ନଭେମ୍ବର ୨୨ ତାରିଖରେ ଗୋଆ ପୋଲିସ୍ ନିଜ ତରଫରୁ ତରୁଣଙ୍କ ବିରୋଧରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା।

ଏହି ମାମଲାରେ ଉକ୍ତ ବର୍ଷ ନଭେମ୍ବର ୩୦ ତାରିଖରେ ପୋଲିସ୍ ତରୁଣଙ୍କୁ ଗିରଫ କରିଥିଲା। ଏହା ପୂର୍ବରୁ ନଭେମ୍ବର ୨୮ ତାରିଖରେ ତରୁଣ ତାଙ୍କ ପାଇଁ ଅଗ୍ରୀମ ଜାମିନ୍ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଖାରଜ କରିଦେଇଥିଲେ। ତେଣୁ ତାଙ୍କୁ ପୋଲିସ୍ ଗିରଫ କରିଥିଲା। ଅବଶ୍ୟ ଗତ ୨୦୧୪ ମେ’ ୧୯ ତାରିଖରେ ତରୁଣଙ୍କୁ ଅନ୍ତରୀଣ ଜାମିନ୍ ମିଳିଯାଇଥିଲା। ତାଙ୍କ ମା’ଙ୍କ ପରଲୋକ ଘଟିଥିବାରୁ ମୁଖାଗ୍ନି ଦେବା ସକାଶେ ତରୁଣଙ୍କୁ ଏହି ଜାମିନ୍ ମିଳିଥିଲା। ପରେ ଜୁଲାଇ ୨୦୧୪ରେ ତାଙ୍କୁ ଜାମିନ୍ ମିଳିବା ପରେ ସେବେଠାରୁ ତରୁଣ ଜେଲ୍ ବାହାରେ ରହିଆସିଛନ୍ତି। ଗତ ୨୦୧୭ ସେପ୍ଟେମ୍ବରରେ ମାପୁସା କୋର୍ଟରେ ପୋଲିସ୍ ପକ୍ଷରୁ ଚାର୍ଜଶିଟ୍ ଦାଖଲ କରାଯାଇଥିଲା। ସେଥିରେ ନଭେମ୍ବର ୨୦୧୩ରେ ତରୁଣ ତାଙ୍କର ଜଣେ କନିଷ୍ଠ ସହଯୋଗୀଙ୍କୁ ନିର୍ଯାତନା ଦେଇଥିବା ଦର୍ଶାଯାଇଥିଲା। କିନ୍ତୁ ତରୁଣ ନିଜକୁ ସର୍ବଦା ନିର୍ଦୋଷ ବୋଲି କହିଆସିଛନ୍ତି। ଏହି ମାମଲାର ବିଚାର ଗତ ୨୦୧୯ ଅକ୍ଟୋବରରେ ଆରମ୍ଭ ହୋଇଥିଲା। ଏନେଇ ତରୁଣ ଦାଖଲ କରିଥିବା ଏକ ଆବେଦନକୁ ଗତ ୨୦୧୭ ଡିସେମ୍ବର ୨୦ରେ ଗୋଆର ବମ୍ବେ କୋର୍ଟ ଖାରଜ କରିଦେଇଥିଲେ। ତରୁଣଙ୍କ ବିରୋଧରେ ଆଇପିସିର ଧାରା ୩୫୪, ୩୫୪-ଏ, ୩୪୧, ୩୪୨, ୩୭୬, ୩୭୬(୨)(ଏଫ୍) ଓ ୩୭୬(୨)(କେ) ଲାଗୁ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button