ଚନ୍ଦନ ଯାତ୍ରା ପାଇଁ ୧୪୪ ଧାରା

ପୁରୀ: ଶନିବାର ଚନ୍ଦନଯାତ୍ରା। ଚାପ ଖେଳିବେ ମହାପ୍ରଭୁ। ପୁରୀରେ ଚନ୍ଦନଯାତ୍ରା ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରଶାସନ ପକ୍ଷରୁ ୧୪୪ ଧାରା ଲାଗୁ କରାଯାଇଛି। ନରେନ୍ଦ୍ର ପୁଷ୍କରିଣୀ ଓ ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ୟାଳୟ ସମ୍ମୁଖରେ ୧୪୪ ଧାରା ଲାଗୁ ହୋଇଥିବା ନେଇ ସୂଚନା ଦେଇଛନ୍ତି ଏସ୍‌ପି। ପୁରୀ ସହରର ବିଭିନ୍ନ ସ୍ଥାନରେ ୧୦ ପ୍ଲାଟୁନ ଫୋର୍ସ ମୁତୟନ ରହିବେ। କୋଭିଡ୍‌ କଟକଣା ମଧ୍ୟରେ ଚନ୍ଦନଯାତ୍ରା ଅନୁଷ୍ଠିତ ହେବ ବୋଲି ଏସ୍‌ପି କହିଛନ୍ତି। ନିୟନ୍ତ୍ରଣ ପାଇଁ ୨ଟି ସ୍ବତନ୍ତ୍ର କଣ୍ଟ୍ରୋଲ୍‌ ରୁମ୍‌ର ବ୍ୟବସ୍ଥା କରାଯାଇଛି। କଟକଣା ଉଲ୍ଲଂଘନ କଲେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିପାଇଁ ସ୍ବତନ୍ତ୍ର ଭାବେ ୨ଟି ଏନ୍‌ଫୋର୍ସମେଣ୍ଟ୍‌ ଟିମ୍‌ ଗଠନ କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅକ୍ଷୟ ତୃତୀୟା ସହ ଚନ୍ଦନଯାତ୍ରା ନୀତି ଚୂଡ଼ାନ୍ତ ହୋଇଛି। ସେହିପରି ମେ’ ୨୦ ତାରିଖରେ ନୀଳାଦ୍ରି ‌ମ‌ହୋଦୟ ନୀତି, ମେ’ ୨୫ ତାରିଖରେ ନୃସିଂହ ଜନ୍ମ ନୀତି, ଜୁନ୍‌ ୩ ତାରିଖରେ ଭଉଁରୀ ଯାତ୍ରାର ବି ନୀତି ଚୂଡ଼ାନ୍ତ ହୋଇଛି। ଅକ୍ଷୟ ତୃତୀୟା ପାଇଁ ହୋଇଥିବା ନୀତି ନୀର୍ଘଣ୍ଟ ଅନୁଯାୟୀ, ଭୋର ସାଢ଼େ ୩ଟାରେ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ପରେ ସାଢ଼େ ୩ଟାରେ ଭିତର ଶୋଧ, ଭୋର୍‌ ୪ଟାରେ ମଙ୍ଗଳ ଆଳତି କରାଯିବ। ଏହାପରେ ମହାପ୍ରଭୁଙ୍କ ମଇଲମ ଓ ତଡ଼ପଲାଗି ନୀତି ସମ୍ପନ୍ନହେବ। ସକାଳ ସାଢ଼େ ୫ଟାରେ ଅବକାଶ, ୬ଟାରେ ରୋଷହୋମ ପରେ ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା କରାଯାଇ ସକାଳ ସାଢ଼େ ୬ଟାରେ ବେଶ ଶେଷ ହେବ। ସକାଳ ୭ଟାରେ ଗୋପାଳ ବଲ୍ଲଭ, ସାଢ଼େ ୭ଟାରୁ ସାଢ଼େ ୯ଟା ମଧ୍ୟରେ ସକାଳ ଧୂପ, ୧୦ଟାରେ ମଇଲମ ଓ ଯାତ୍ରାଙ୍ଗୀ ମହାସ୍ନାନ, ୧୦ଟା ୪୦ରେ ଚନ୍ଦନ ବେଢ଼ା, ସାଢ଼େ ୧୧ଟାରେ ଖଇକୋରା ଭୋଗ, ମଧ୍ୟାହ୍ନ ୧୨ଟାରେ ସର୍ବାଙ୍ଗ କରାଯାଇ ମଧ୍ୟାହ୍ନରେ ବେଶ ଶେଷ ହେବ। ଅପରାହ୍ଣ ଗୋଟାଏରୁ ସାଢ଼େ ୨ଟା ମଧ୍ୟରେ ଘଣ୍ଟଛତା ଯାତ ଭୋଗ ଓ ମଧ୍ୟାହ୍ନ ଧୂପ କରାଯିବ। ଅପରାହ୍ଣ ସାଢ଼େ ୩ଟାରେ ଚନ୍ଦନ ଠାକୁର ମଣି ବିମାନରେ ବିଜେ ହୋଇ ଶ୍ରୀମନ୍ଦିରରୁ ବାହାରି ଚନ୍ଦନଯାତ୍ରା ପାଇଁ ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ର କରିବେ। ଅପରାହ୍ନ ୪ଟାରେ ରଥ ଆଜ୍ଞାମାଳ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖ ଖଳାକୁ ବିଜେ କରିବା ପରେ ରଥ ନିର୍ମାଣ କାର୍ଯ୍ୟ ଅନୁକୂଳ ହେବ। ଏଠାରେ କିଛି ସମୟ ଚନ୍ଦନ ଠାକୁର ଅଟକିବା ପରେ ପୁନର୍ବାର ନରେନ୍ଦ୍ର ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିବେ। ଅକ୍ଷୟ ତୃତୀୟା ଭଳି ଦିନରେ ଠାକୁର ରାତି ୧୦ଟା ସୁଦ୍ଧା ଶ୍ରୀମନ୍ଦିରକୁ ବାହୁଡ଼ିବା ନେଇ ନୀତି ଚୂଡ଼ାନ୍ତ ହୋଇଛି। କିନ୍ତୁ ଅନ୍ୟ ଦିନମାନଙ୍କରେ ରାତି ୯ଟାରୁ ସାଢ଼େ ୯ଟା ଭିତରେ ଠାକୁରଙ୍କ ବାହୁଡ଼ା ବିଜେ ନୀତି ଅନୁଷ୍ଠିତ ହେବ ବୋଲି ନିଷ୍ପତ୍ତି ହୋଇଛି।

Related Articles

Leave a Reply

Your email address will not be published.

Back to top button