ପୁରୀରେ ସାଧୁ ସନ୍ଥଙ୍କ ବିଶ୍ରାମ ପାଇଁ ୨୫ କୋଠରୀ ବିଶିଷ୍ଟ ନୂତନ ସୌଧର ଭୂମିପୂଜନ
ଭୁବନେଶ୍ବର : ଦେଶର କୋଣ ଅନୁକୋଣରୁ ବିଭିନ୍ନ ସମୟରେ ପୁରୀକୁ ଜଗନ୍ନାଥ ଦର୍ଶନ ନିମନ୍ତେ ଆସୁଥିବା ଶତାଧିକ ସାଧୁ ସନ୍ଥଙ୍କ ରହଣି ନିମନ୍ତେ ବିଶେଷ ବ୍ୟବସ୍ଥା ସ୍ଵରୂପ ଶ୍ରୀ ଲୋକନାଥ ମନ୍ଦିର ନିକଟସ୍ଥ ଶ୍ରୀ ବାଲାଜୀ ମନ୍ଦିର ଥାନପତି ଆଶ୍ରମ ଶ୍ରୀରାମଚନ୍ଦ୍ର ସ୍ୱାମୀ ଚାରିଟେବୁଲ ଟ୍ରଷ୍ଟ ପରିସରରେ ୨୫ କୋଠରୀ ବିଶିଷ୍ଠ ନୂତନ ସୌଧ ନିମନ୍ତେ ଭୂମିପୂଜନ ତଥା ଶିଳାନ୍ୟାସ କାର୍ଯ୍ୟକ୍ରମ ବିଶିଷ୍ଠ ପଣ୍ଡିତ ମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହୋଇଯାଇଅଛି। ଟ୍ରଷ୍ଟର ସଭାପତି ତଥା ଜୀୟରସ୍ୱାମୀ ମଠ ମହନ୍ତ ଶ୍ରୀ ଇନ୍ଦିରା ରମଣ ରାମାନୁଜ ଦାସ ଜୀ ମହାରାଜଙ୍କ ମାର୍ଗଦର୍ଶନରେ ଜୀୟରସ୍ୱାମୀ ମଠର ସନ୍ଥ ତଥା ଟ୍ରଷ୍ଟର ସଦସ୍ୟ ସ୍ୱାମୀ ସୁଦର୍ଶନ ରାମାନୁଜ ଦାସ ଜୀ ମହାରାଜ କର୍ତ୍ତା ରୂପେ ପୂଜା କାର୍ଯ୍ୟରେ ସାମିଲ ହୋଇ ଏହି ନୂତନ ସୌଧରେ ଦେଶର ବିଭିନ୍ନ ସ୍ଥାନରୁ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଦର୍ଶନ ନିମନ୍ତେ ଆସୁଥିବା ସାଧୁ, ସନ୍ଥ, ମହନ୍ତଙ୍କ ରହଣି ସହିତ ଉତ୍ତମ ଆତିଥ୍ୟୟତା ବ୍ୟବସ୍ଥା କରାଯିବ ବୋଲି ପ୍ରକାଶ କରିଛନ୍ତି । ଏହି ପୂଜାକାର୍ଯ୍ୟରେ ଟ୍ରଷ୍ଟର ସଦସ୍ୟ ତଥା କଟକୀ ମଠ ମହନ୍ତ ଡ. ବିଜୟ ନାରାୟଣ ରାମାନୁଜ ଦାସ, ଆଡଭୋକେଟ ପ୍ରସନ୍ନ ମିଶ୍ର ଓ ତାଙ୍କ ସହଯୋଗୀ, ପଣ୍ଡିତ ଇନ୍ଦ୍ରମଣି ପତି ମୂଖ୍ୟ ଆଚାର୍ଯ୍ୟ କାର୍ଯ୍ୟ ତୁଲାଇଥିବାବେଳେ ପଣ୍ଡିତ ରିତେଶ କୁମାର ମିଶ୍ର, ପଣ୍ଡିତ ଦେବେନ୍ଦ୍ର ଦ୍ୱିବେଦୀ, ପଣ୍ଡିତ ଶିବ ପ୍ରସାଦ ନନ୍ଦ, ପଣ୍ଡିତ ଆଶିଷ କୁମାର ଦ୍ୱିବେଦୀ, ପଣ୍ଡିତ ଅଜୟ କୁମାର ଦ୍ୱିବେଦୀ, ପଣ୍ଡିତ ସନ୍ତୋଷ ଶତପଥି, ପଣ୍ଡିତ ଇତିକାନ୍ତ ଦାଶ ପ୍ରମୁଖ ପୂଜା କାର୍ଯ୍ୟ ସଂପାଦନ କରିଥିଲେ। ଟ୍ରଷ୍ଟର ସଦସ୍ୟ ରମେଶ ଶର୍ମା, ସୁରେଶ ଶର୍ମା, ବିଷ୍ଣୁକୁମାର ଯୋଶୀ, କମଲ ଅଗ୍ରୱାଲ ପ୍ରମୁଖ ସହଯୋଗ କରିଥିଲେ । ଏହି ଅବସରରେ ୧୦୦୦ରୁ ଉର୍ଦ୍ଧ୍ୱ ସ୍ଥାନୀୟ ଅଧିବାସୀ ଉପସ୍ଥିତ ରହି ପ୍ରସାଦ ସେବନ କରିଥିଲେ।