ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର ଉଦଘାଟିତ
ଭୁବନେଶ୍ୱର: ରାଜ୍ୟରେ କୃଷକ ମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି । ଯୋଗ୍ୟ ଚାଷୀ ଯେଭଳି ନିଜର ପ୍ରାପ୍ୟ ପାଇବାରୁ ବଞ୍ଚିତ ନହୁଅନ୍ତି ଏଥି ନିମନ୍ତେ ସମସ୍ତ ବ୍ୟବସ୍ଥା କରାଯାଇଛି । ଧାନ ସଂଗ୍ରହ ସମୟରେ କୌଣସି ଅନିୟମିତତାର ଅଭିଯୋଗ ଆସିଲେ ଏହା ଉପରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ପରିସରରେ ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ର(Command Control cum Experience Center) ଶୁଭାରମ୍ଭ ହୋଇଛି । ଏହାକୁ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ ଶ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର ଉଦଘାଟନ କରିଛନ୍ତି । ଚାଷୀ ମାନଙ୍କ ସ୍ୱାର୍ଥ ସାଧନ ଓ ସେମାନଙ୍କୁ ସର୍ବାଧିକ ଲାଭ ଦେବା ଲକ୍ଷ୍ୟ ନେଇ ଏହି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଛି । ଏହାଦ୍ୱାରା ଧାନ ବିକ୍ରୟ ପ୍ରକ୍ରିୟାରେ କୌଣସି ସମସ୍ୟା ଥିଲେ ଚାଷୀ ମାନେ ତୁରନ୍ତ ସେମାନଙ୍କ ଅଭିଯୋଗ ଏହି କେନ୍ଦ୍ର ମାଧ୍ୟମରେ କରିପାରିବେ । ଯାହାଦ୍ୱାରା ସମ୍ପୃକ୍ତ ସମସ୍ୟାର ସମାଧାନ କରାଯାଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି । ପ୍ରତ୍ୟେକ ମଣ୍ଡିରେ ନୋଡାଲ ଅଧିକାରୀ ମାନେ ନିଯୁକ୍ତ ହୋଇ ଧାନକିଣା ପ୍ରକ୍ରିୟା ତଦାରଖ କରୁଛନ୍ତି । କୌଣସି ଅଭିଯୋଗ ଥିଲେ ଟୋଲଫ୍ରି ନଂ ୧୯୬୭ ମାଧ୍ୟମରେ ଯୋଗାଯୋଗ କରିପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର ସୂଚନା ଦେଇଛନ୍ତି । ଏହି ନିର୍ଦ୍ଦେଶ ନିୟନ୍ତ୍ରଣ ଏବଂ ଅଭିଜ୍ଞତା କେନ୍ଦ୍ରରେ ସବୁ ଜିଲ୍ଲାର ମଣ୍ଡି ଉପରେ ତୀକ୍ଷ୍ଣ ନଜର ରଖାଯିବ । ସିସିଟିଭି ମାଧ୍ୟମରେ ଲାଇଭ ଫୁଟେଜକୁ ଏଠାରେ ଅନୁଧ୍ୟାନ କରାଯିବା ସହ ମଣ୍ଡିରୁ ଧାନନେଇ ମିଲସ ଓ ଡିପୋକୁ ଯାଉଥିବା ଗାଡିକୁ ମଧ୍ୟ ନିରୀକ୍ଷଣ କରାଯିବ । ଉଭୟ ଖରିଫ ଓ ରବି ଋତୁରେ ଧାନ ସଂଗ୍ରହ ବେଳେ ଏହି କେନ୍ଦ୍ର କାର୍ଯ୍ୟ କରିବ । ଏଠାରେ ଉଭୟ ଅଡିଓ ଓ ଭିଡିଓ କଲ ମାଧ୍ୟମରେ ଯୋଗାଯୋଗ କରିବା ବ୍ୟବସ୍ଥା ରହିଛି। କୌଣସି ଅଭିଯୋଗ କିମ୍ବା ନିର୍ଦ୍ଦେଶ ଆସିଲେ ତ୍ୱରିତ ପଦକ୍ଷେପ ନିଆଯିବାର ବ୍ୟବସ୍ଥା ରହିଛି । ଏହି ଅବସରରେ ଓଡିଶା ରାଜ୍ୟ ଖାଦ୍ୟ ଯୋଗାଣ ନିଗମ ଓ ବିଭାଗୀୟ ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।