ଶପଥ ନେଲେ ହିମନ୍ତ ବିଶ୍ୱଶର୍ମା
ଆସାମ: ଆସାମର ମୁଖ୍ୟମନ୍ତ୍ରୀଭାବେ ହିମନ୍ତ ବିଶ୍ୱଶର୍ମା ସୋମବାର ଶପଥ ଗ୍ରହଣ କରିଛନ୍ତି । ଏନେଇ ଶଙ୍କରଦେବ କଳାକ୍ଷେତ୍ରରେ ଶପଥଗ୍ରହଣ ସମାରୋହ ଅନୁଷ୍ଠିତ ହୋଇଥିଲା । ଏହି ଅବସରରେ ହିମନ୍ତ ବିଶ୍ୱଶର୍ମାଙ୍କୁ ରାଜ୍ୟପାଳ ପଦ ଓ ଗୋପନୀୟତାର ଶପଥ ପାଠ କରାଇଥିଲେ । ହିମନ୍ତଙ୍କ ସହ ତାଙ୍କ କ୍ୟାବିନେଟ ଟିମ ସଦସ୍ୟ ମଧ୍ୟ ଶପଥ ନେଇଛନ୍ତି । ଶପଥ ସମାରୋହରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଉପସ୍ଥିତ ଥିଲେ । ପ୍ରକାଶ ଯେ, ଗତ ବିଧାନସଭା ନିର୍ବାଚନରେ ଆସାମରେ ବିଜେପିକୁ ୬୦ ଆସନ ମିଳିଥିଲା । ଅପରପକ୍ଷରେ ଏହାର ସହଯୋଗୀ ଦଳଗୁଡ଼ିକ ମଧ୍ୟ ନିର୍ବାଚନରେ ସଫଳ ହୋଇଥିଲେ । ଏନଡ଼ିଏକୁ ୭୫ ଆସନ ମିଳିଥିବାବେଳେ ଉପାକୁ ୫୦ ଆସନରେ ସନ୍ତୁଷ୍ଟ ରହିବାକୁ ପଡ଼ିଥିଲା । ତେବେ ଅନ୍ୟ ସବୁ ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀମାନେ ଶପଥ ନେଇ ସାରିଥିବାବେଳେ ଆସାମରେ କିନ୍ତୁ ଅଙ୍କ ଛିଣ୍ଡିପାରିନଥିଲା । ହେମନ୍ତ ବିଶ୍ୱ ଶର୍ମା ଏକଦା କଂଗ୍ରେସର ଜଣେ ଟାଣୁଆ ନେତା ଥିଲେ । ୨୦୧୬ ବିଧାନସଭା ନିର୍ବାଚନ ପୂର୍ବରୁ ସେ ବିଜେପିରେ ଯୋଗଦେଇଥିଲେ । ଯାହାଫଳରେ ବିଜେପି ବେଶ ଶକ୍ତିଶାଳୀ ହୋଇପାରିଥିଲା । ଆସାମରେ ପ୍ରଥମ ଥର ପାଇଁ ଐତିହାସିକ ବିଜୟ ହାସଲ କରିବା ପରେ ସମସ୍ତେ ଭାବୁଥିଲେ ହିମନ୍ତ ବିଶ୍ୱଶର୍ମା ହିଁ ମୁଖ୍ୟମନ୍ତ୍ରୀ ହେବେ । ତେବେ ତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ପଦରେ ହିଁ ସନ୍ତୁଷ୍ଟ ହେବାକୁୁ ପଡ଼ିଥିଲା । କିନ୍ତୁ ଏଥର ଆସାମର ମୁଖ୍ୟମନ୍ତ୍ରୀଭାବେ ହିମନ୍ତ ବିଶ୍ୱଶର୍ମା ସୋମବାର ଶପଥ ଗ୍ରହଣ କରିଛନ୍ତି