୯୨% ଘରକୁ ବିଦ୍ୟୁତ ପୁନଃସଂଯୋଗ ଦିଆଯାଇଛି

ଭୁବନେଶ୍ୱର:  ବାତ୍ୟା ଦାନା ପ୍ରଭାବରେ ଏବେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ବାଲେଶ୍ୱର ଜିଲ୍ଲାର ୨ଟି ବ୍ଲକର ୧୦୫୦୦ଜଣ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ଏପଟେ ବାତ୍ୟା ପ୍ରଭାବିତ ଅଂଚଳରେ ୯୨% ଘରକୁ ବିଦ୍ୟୁତ ପୁନଃସଂଯୋଗ ଦିଆଯାଇଛି । ପାଣି ଛାଡ଼ିନଥିବାରୁ ଏବେବି ଆଶ୍ରୟସ୍ଥଳୀରେ ୧ଲକ୍ଷ ୧୦ହଜାର ୫୧୩ଜଣ ଲୋକ ଆଶ୍ରୟ ନେଇଛନ୍ତି ।  ବାତ୍ୟା ‘ଦାନା’ ପରବର୍ତ୍ତୀ ସ୍ଥିତିର ସମୀକ୍ଷା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ସୂଚନା ଦେଇଛନ୍ତି । ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି ଯେ, ବାତ୍ୟା “ଦାନା” ଦ୍ୱାରା କେନ୍ଦ୍ରାପଡା, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ଅଧିକ ପ୍ରଭାବିତ ହୋଇଥିଲା । ରାଜ୍ୟରେ ବାତ୍ୟା ଆଶ୍ରୟସ୍ଥଳକୁ ସମୁଦାୟ ୮ ଲକ୍ଷ ୯ ହଜାର ୫୧୩ ଲୋକମାନଙ୍କୁ ଅଣାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବାପରେ ଲୋକମାନେ ନିଜ ଘରକୁ ଫେରିଛନ୍ତି । ବର୍ତ୍ତମାନ ମାତ୍ର ୧ ଲକ୍ଷ ୧୦ ହଜାର ୭୭୦ ଜଣ ଆଶ୍ରୟସ୍ଥଳୀରେ ଅଛନ୍ତି । ଯେଉଁ ଅଞ୍ଚଳରେ ପାଣି ଜମି ରହିଛି, ସେଠାରେ ଲୋକମାନେ ଏ ପର୍ୟ୍ୟନ୍ତ ଅଛନ୍ତି। ପରିସ୍ଥିତି ସ୍ୱାଭାବିକ ହେବା ପର୍ୟ୍ୟନ୍ତ ସେମାନେ ସେଠାରେ ରହିପାରିବେ। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ବାତ୍ୟା ଯୋଗୁ ସମୁଦାୟ ୨୨.୮୪ ଲକ୍ଷ ପରିବାରକୁ ବିଦ୍ୟୁତ୍ ଯୋଗାଣ ପ୍ରଭାବିତ ହୋଇଥିଲା । ଗଛ ପଡି ରାସ୍ତା ଅବରୋଧ ହେବା ସହ ବିଦ୍ୟୁତ୍ ସରବରାହରେ ବ୍ୟାଘାତ ଘଟିଥିଲା ।

Related Articles

Leave a Reply

Your email address will not be published.

Back to top button