ମହାରଷ୍ଟ୍ରରେ ସ୍ଥିର ହେଲା ଆସନ ବୁଝାମଣା

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ଶାସକ ସହଯୋଗୀ ମହାୟୁତୀରେ ଆସନ ବଣ୍ଟନ ସୂତ୍ର ପ୍ରାୟ ଚୂଡାନ୍ତ ବୋଲି କୁହାଯାଉଛି। ସୂଚନା ଅନୁଯାୟୀ ବିଜେପି ଏଥର ୧୫୩ ରୁ ୧୫୬ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ଏଥି ସହିତ ଏକନାଥ ସିନ୍ଦେଙ୍କ ଶିବସେନା ୭୮ ରୁ ୮୦ ସିଟ୍ ପାଇବ। ଏହା ବ୍ୟତୀତ ଅଜିତ ପାୱାରଙ୍କ ଏନସିପି ୫୩ ରୁ ୫୫ ଟି ସିଟ୍ ପାଇବ। ମହାରାଷ୍ଟ୍ରରେ ମୋଟ ୨୮୮ ଟି ବିଧାନସଭା ଆସନ ଅଛି। ସେଠାରେ ବିଜେପି, ଶିବସେନା ଏବଂ ଏନସିପିର ମେଣ୍ଟ ସରକାର ଅଛି, ଯାହାକୁ ମହାୟୁତି ସହଯୋଗୀ ଦଳ କୁହାଯାଏ। ୨୦୧୯ ବିଧାନସଭା ନିର୍ବାଚନରେ ​​ବିଜେପି ସର୍ବାଧିକ ୧୦୫ ଟି ଆସନ ଜିତିଥିଲା। ବର୍ତ୍ତମାନ ବିଜେପିରେ ୧୦୩ ଜଣ ବିଧାୟକ ଅଛନ୍ତି। ଶିବସେନାରେ ୪୦ ଜଣ ବିଧାୟକ ଏବଂ ଏନସିପିରେ ୪୩ ଜଣ ବିଧାୟକ ଅଛନ୍ତି। ମହାରାଷ୍ଟ୍ରର ବିରୋଧୀ ଦଳ ମହା ବିକାଶ ଅଘାଡିରେ ଆସନ ବଣ୍ଟନର ଅନ୍ତିମ ନିଷ୍ପତ୍ତି ପ୍ରାୟ ସ୍ଥିର ଅଛି। ତେବେ ଏପର୍ଯ୍ୟନ୍ତ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇ ନାହିଁ। ସୂଚନାନୁସାରେ, କଂଗ୍ରେସ ୧୦୩-୧୦୮ ଟି ଆସନରେ ନିର୍ବାଚନ ଲଢିପାରେ। ଏଥିସହିତ ଉଦ୍ଧବ ଠାକରେଙ୍କ ଶିବସେନା ୟୁବିଟି ୯୦-୯୫ ଟି ସିଟ୍ ପାଇପାରେ। ଏହା ବ୍ୟତୀତ ଶରଦ ପାୱାର ଦଳର ଏନସିପି (ଏସପି) ୮୦-୮୫ ଟି ଆସନରେ ନିର୍ବାଚନ ଲଢିପାରେ। ଉଲ୍ଲେଖ ଯୋଗ୍ୟ ଯେ, ଗୋଟିଏ ପର୍ଯ୍ୟାୟରେ ମହାରାଷ୍ଟ୍ରର ମୋଟ ୨୮୮ ବିଧାନସଭା ଆସନ ପାଇଁ ଭୋଟ୍ ଗ୍ରହଣ କରାଯିବ। ନିର୍ବାଚନ ଆୟୋଗ ଦ୍ଵାରା ପ୍ରକାଶିତ କାର୍ଯ୍ୟସୂଚୀ ଅନୁଯାୟୀ ନଭେମ୍ବର ୨୦ ତାରିଖରେ ସମସ୍ତ ଆସନରେ ଏକକାଳୀନ ଭୋଟ୍ ଅନୁଷ୍ଠିତ ହେବ। ଏହା ପରେ ନଭେମ୍ବର ୨୩ ତାରିଖରେ ଭୋଟ୍ ଗଣିବା ପରେ ନିର୍ବାଚନ ଫଳାଫଳ ଘୋଷଣା କରାଯିବ।

Related Articles

Leave a Reply

Your email address will not be published.

Back to top button