ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ ଉଦ୍‌ଯାପନରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆଜି ପୁରୀରେ ଦୁଇ ଦିନିଆ ‘ଲାଇଟ୍‌ହାଉସ ପର୍ଯ୍ୟଟନ ମହୋତ୍ସବ’ ଉଦ୍‌ଯାପିତ ହୋଇଛି। ଭାରତରେ ଲାଇଟହାଉସ ପର୍ଯ୍ୟଟନର ବିକାଶ ପାଇଁ କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ମନ୍ତ୍ରାଳୟ ପକ୍ଷରୁ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି ଓଡିଶାର ପର୍ଯ୍ୟଟନ ସ୍ଥଳଗୁଡିକ ମଧ୍ୟରେ ବତୀଘର ଗୁଡିକ ମଧ୍ୟ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବ। ସୂଚନାଯୋଗ୍ୟ ଯେ, ଗତ ବର୍ଷ ଗୋଆରେ ପ୍ରଥମ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହୋଇଥିଲା। ଏ ବର୍ଷ ଓଡିଶାରେ ଦ୍ୱିତୀୟ ଲାଇଟହାଉସ ପର୍ଯ୍ୟଟନ ମହୋତ୍ସବ ଅନୁଷ୍ଠିତ ହେଉଛି। ବତୀଘର ପର୍ଯ୍ୟଟନରେ ଓଡିଶାକୁ ଯେଉଁ ଗୁରୁତ୍ୱ ଦିଆଯାଇଛି, ସେଥିପାଇଁ ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଓ କେନ୍ଦ୍ର ସରକାରଙ୍କୁ ଧନ୍ୟବାଦ ଦେଇଥିଲେ। ସ୍ୱାଧୀନତାର ୭୫ ବର୍ଷ ଅବସରରେ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶରେ ଦେଶର ୭୫ଟି ଲାଇଟହାଉସର ବିକାଶ କରାଯାଇଛି। ଏଥିରେ ଓଡିଶାର ୫ଟି ଲାଇଟହାଉସ ସ୍ଥାନ ପାଇଛି। ଏଗୁଡିକ ହେଲା- ଗୋପାଳପୁର, ପୁରୀ, ଚନ୍ଦ୍ରଭାଗା, ଫଲ୍‌ସ ପଏଣ୍ଟ ଓ ପାରାଦୀପ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବତୀଘରକୁ ଯେ ଏକ ପର୍ଯ୍ୟଟନ ସ୍ଥଳୀ ଭାବେ ବ୍ୟବହାର କରାଯାଇପାରିବ, ଏହା ସାମାନ୍ୟ ଚିନ୍ତାଧାରାର ବାହାରେ ଥିଲା। କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଅସାଧାରଣ ଚିନ୍ତାଧାରା ଓ ଦୂରଦୃଷ୍ଟି ଯୋଗୁ ଆଜି ଆମର ବତୀଘର ଗୁଡିକ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଭାବେ ସ୍ଥାନ ପାଇବା ସହିତ ଆମର ନୌବାଣିଜ୍ୟ ଐତିହ୍ୟର ପ୍ରସାର କରୁଛନ୍ତି। ସୂଚନାଯୋଗ୍ୟ ଯେ, ଲାଇଟହାଉସ ଗୁଡିକୁ ବିକଶିତ କରାଯାଇ ଏଥିରେ ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅନେକ ସୁବିଧାର ବିକାଶ ମଧ୍ୟ କରାଯାଇଛି। ଏଥିରେ ଦର୍ଶକଙ୍କ ବସିବା ପାଇଁ ସେଡ୍, ଝରଣା, ପିଲାଙ୍କ ଖେଳିବା ପାଇଁ ବ୍ୟବସ୍ଥା, ପଥର କାରୁକାର୍ଯ୍ୟ ଓ ଅନ୍ୟାନ୍ୟ ସୁବିଧାର ବିକାଶ ମଧ୍ୟ କରାଯାଇଛି। ଏହି ଦୁଇ ଦିନିଆ କାର୍ଯ୍ୟକ୍ରମରେ ସ୍ୟାଣ୍ଡ ଆର୍ଟ, ବୋର୍ଟ ଆର୍ଟ, ବିଚ୍ କ୍ଲିନ୍-ଅପ୍ ଡ୍ରାଇଭ୍, ଯୋଗ ଆଦି ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ମଧ୍ୟ କରାଯାଇଛି। ଏହା ସହିତ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଓ ଫୁଡ୍ ଫେଷ୍ଟିଭାଲ୍ ଆଦିର ଆୟୋଜନ ମଧ୍ୟ କରାଯାଉଛି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏସବୁ କାର୍ଯ୍ୟକ୍ରମ ଜରିଆରେ ପୁରୀର ବିଭିନ୍ନ ଆକର୍ଷଣୀୟ ସ୍ଥାନ ମଧ୍ୟରେ ବତୀଘର ମଧ୍ୟ ଯୋଡି ହୋଇଯିବ। ମୁଁ ଆଶା କରୁଛି କେନ୍ଦ୍ର ସରକାରଙ୍କ ଏହି ଅଭିନବ କାର୍ଯ୍ୟକ୍ରମ ଯୋଗୁ ଦେଶର ପର୍ଯ୍ୟଟନ ମ୍ୟାପରେ ଓଡିଶାର ଅବସ୍ଥିତ ବତୀଘରଗୁଡିକ ଏକ ପ୍ରମୁଖ ସ୍ଥାନ ଭାବରେ ବିବେଚିତ ହେବ। ଏହା ନିଶ୍ଚିତ ଭାବରେ ଏକ ଅତ୍ୟନ୍ତ ଦୂରଦର୍ଶୀ ସମ୍ପନ୍ନ କାର୍ଯ୍ୟକ୍ରମ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ପୁରୀ ସାଂସଦ ଡ. ସମ୍ବିତ ପାତ୍ର, ସତ୍ୟବାଦୀ ବିଧାୟକ ଶ୍ରୀ ଓମ୍‌ ପ୍ରକାଶ ମିଶ୍ର, ପୁରୀ ବିଧାୟକ ଶ୍ରୀ ସୁନିଲ କୁମାର ମହାନ୍ତି, ପିପିଲି ବିଧାୟକ ଶ୍ରୀ ଆଶ୍ରିତ ପଟ୍ଟନାୟକ, ବ୍ରହ୍ମଗିରି ବିଧାୟିକା ଶ୍ରୀମତୀ ଉପାସନା ମହାପାତ୍ର ପ୍ରମୁଖ ଯୋଗ ଦେଇଥିଲେ। କେନ୍ଦ୍ର ବନ୍ଦର, ଜାହାଜ ପରିବହନ ଓ ଜଳମାର୍ଗ ବିଭାଗର ସଚିବ ଶ୍ରୀଟି.କେ. ରାମଚନ୍ଦ୍ରନ୍ ସ୍ବାଗତ ଭାଷଣ ଦେଇଥିଲେ। ପାରାଦୀପ ବନ୍ଦର ଅଧ୍ୟକ୍ଷ ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଉଚ୍ଚ ପଦସ୍ଥ ଅଧିକାରୀ ମାନେ ଯୋଗ ଦେଇଥିଲେ।

Related Articles

Leave a Reply

Your email address will not be published.

Back to top button