୨୪ରେ ମହାପ୍ରଭୁଙ୍କ ଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୪ ତାରିଖରେ  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରିବେ । ଏଥିପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ତଥା  ବ୍ୟବସ୍ଥାବଳୀକୁ ଶ୍ରୀଜଗନ୍ନାଥ ମନ୍ଦିର କାର୍ୟ୍ୟାଳୟଠାରେ ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଅନୁମୋଦନ କରାଯାଇଛି ।  ବୈଠକରେ ନିଷ୍ପତ୍ତି ଅନୁସାରେ, ରାଷ୍ଟ୍ରପତି ଶ୍ରୀମନ୍ଦିରକୁ ପହଞ୍ଚିବାର ଦେଢ଼  ଘଣ୍ଟା ପୂର୍ବରୁ ସାଧାରଣ ଲୋକଙ୍କ ପ୍ରବେଶ ବନ୍ଦ କରାଯିବ । ସେଦିନର ବିଶେଷ ନୀତି  ନିର୍ଘଣ୍ଟ ଅନୁସାରେ, ୨୩ ତାରିଖରେ ରାତ୍ର ୧୧ଟାରେ ପହୁଡ଼ ନୀତି ସମାପନ ପାଇଁ ସ୍ଥିର  ହୋଇଛି । ୨୪ ତାରିଖ ଭୋର୍‌ ୩ଟାରୁ ଦ୍ୱାରଫିଟା ପାଇଁ ନୀତି ନିର୍ଘଣ୍ଟ ହୋଇଛି । ଦିନ  ୧୧ଟାରେ ଶ୍ରୀମନ୍ଦିର ଶୋଧ କରାଯିବ । ଦିନ ୧୧ଟାଠାରୁ ଆଉ ଦର୍ଶନାର୍ଥୀଙ୍କୁ ଶ୍ରୀମନ୍ଦିର  ପ୍ରବେଶ ଅନୁମତି ଦିଆଯିବ ନାହିଁ । ରାଷ୍ଟ୍ରପତି ଶ୍ରୀଜିଉଙ୍କ ଦର୍ଶନ କରି ପ୍ରତ୍ୟାବର୍ତ୍ତନ କରିବା  ପରେ ଅବଶିଷ୍ଟ ଦୈନଦିନ ନୀତିମାନ କରାଯିବା ସହ ସର୍ବସାଧାରଣ ଦର୍ଶନ ଆରମ୍ଭ  ହେବ । ଦିନ ୧୧ଟା ୪୫ ସୁଦ୍ଧା ବାଳଧୂପ ଶେଷ ହେବ ଓ ଭୋଗମଣ୍ଡପ ଉଠିବା ସହ  ବେଶ ଶେଷ ପାଇଁ ସମୟ ଧାର୍ୟ୍ୟ ହୋଇଛି । ରାଷ୍ଟ୍ରପତି ଦିନ ୧୨ଟା ୩୦ରୁ ଦିନ ୧ଟା  ୧୫ ମଧ୍ୟରେ ଶ୍ରୀଜିଉଙ୍କ ଦର୍ଶନ କରିବା କାର୍ୟ୍ୟକ୍ରମ ରହିଛି । ରାଷ୍ଟ୍ରପତି ଗର୍ଭଗୃହରେ ଠାକୁର ଦର୍ଶନ ସମୟରେ ସମ୍ପୃକ୍ତ ପାଳିଆ ସେବକଙ୍କ  ବ୍ୟତୀତ ଅନ୍ୟ କୌଣସି ବ୍ୟକ୍ତି କିମ୍ବା ସେବକ ଗର୍ଭଗୃହରେ ରହିବେ ନାହିଁ  ବୋଲି ମୁଖ୍ୟ  ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଗଣମାଧ୍ୟମକୁ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button