ସିସିଟିଭି ସର୍ଭେଲାନ୍ସରେ ରହିବ ପୁରୀ

ଭୁବନେଶ୍ବର :  ପୁରୀକୁ ଜଗିବ ସିସିଟିଭି। ୬୦୦ରୁ ଅଧିକ ହାଇକାପାସିଟି ସିସିଟିଭି ସର୍ଭେଲାନ୍ସରେ ରହିବ ସମ୍ପୂର୍ଣ୍ଣ ପୁରୀ ସହର। କମାଣ୍ଡ ଏବଂ କଣ୍ଟ୍ରୋଲ ରୁମ୍‌ ସହିତ ଯୋଡି ହେବ ସମସ୍ତ ସିସିଟିଭି। ସହରକୁ ସୁରକ୍ଷିତ, ଅପରାଧମୁକ୍ତ ଏବଂ ଟ୍ରାଫିକ ସୁପରିଚାଳନା ପାଇଁ ଏଭଳି ଯୋଜନା ପ୍ରସ୍ତୁତ ହୋଇଛି। ବିଶେଷକରି ଶ୍ରୀମନ୍ଦିର, ବଡଦାଣ୍ଡ, ସମୁଦ୍ରକୂଳ, ପୁରୀର ପ୍ରବେଶପଥ ଓ ସାହି ଗଳିକନ୍ଦିକୁ ଜଗିବ ସିସିଟିଭି। ରାଜ୍ୟ ସରକାରଙ୍କ ଅନୁମତି ମିଳିବା ପରେ ଏହା କାର୍ୟ୍ୟକାରୀ ହେବ ବୋଲି ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ କହିଛନ୍ତି। ୨୦୧୫ ନବକଳେବର ପୂର୍ବରୁ ରାଜ୍ୟ ଗୃହ ବିଭାଗ ପକ୍ଷରୁ ୧୨ କୋଟି ଟଙ୍କା ବିନିମୟରେ ୧୮୫ଟି ସିସିଟିଭି କ୍ୟାମେରା ପୁରୀରେ ଲଗାଯାଇଥିଲା। ୨୦୧୯ ଫନୀ ବାତ୍ୟାରେ ସିସିଟିଭିଗୁଡ଼ିକ ନଷ୍ଟ ହୋଇଯାଇଥିଲା। ପରବର୍ତ୍ତୀ ସମୟରେ କେବଳ ଶ୍ରୀମନ୍ଦିର ସମେତ ବଡ଼ଦାଣ୍ଡରେ ଅଳ୍ପ ସିସିଟିଭି ସଜଡା ଯାଇଥିଲା। ହେଲେ ସହରର ପ୍ରବେଶ ପଥ ହେଉ କି ପ୍ରମୁଖ ଛକ ସବୁ ମୁକୁଳା ପଡିଛି। ଯାହାର ଫାଇଦା ନେଉଛନ୍ତି ଅସାମାଜିକ ଯୁବକ। ବିଭିନ୍ନ ପ୍ରକାର ଅପରାଧିକ କାର୍ୟ୍ୟକଳାପ ଘଟାଇ ପୁଲିସ ଆଖିରୁ ଖସି ଯାଉଛନ୍ତି। ସେହିପରି ଭକ୍ତ, ପର୍ୟ୍ୟଟକଙ୍କ ସୁରକ୍ଷା ଏବଂ ଟ୍ରାଫିକ ପରିଚାଳନା ପାଇଁ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ନଜରରେ ରଖିବା ଲାଗି ହୋଇଛି ଯୋଜନା। ଏ ସମ୍ପର୍କରେ ସୂଚନା ଦେଇ ଜିଲ୍ଲାପାଳ ଶ୍ରୀ ସ୍ୱାଇଁ କହିଛନ୍ତି, ପୁରୀ ପାଇଁ ଖୁବ୍‌ଶୀଘ୍ର କାର୍ୟ୍ୟକାରୀ ହେବ ସିସିଟିଭି ପ୍ରୋଜେକ୍ଟ। ସିସିଟିଭି ନଜରରେ ରହିବ ପୁରୀ। ଏହି ସିସିଟିଭି ପ୍ରକଳ୍ପ ରାଜ୍ୟ ସରକାରଙ୍କ ଅନୁମୋଦନ ପାଇଁ ପଠାଯାଇଛି। ଅନୁମତି ମିଳିବା ପରେ ସହରର ବିଭିନ୍ନ ପ୍ରବେଶ ପଥ ଯଥା ସମଙ୍ଗ, ମାଳତୀପାଟପୁର, ମଙ୍ଗଳାଘାଟ ଆଦି ପ୍ରବେଶ ପଥରେ ପୋର୍ଟବେଲ ନେଟୱର୍କ ଓ ଅପ୍ଟିକାଲ ଫାଇବର ଥିବା ୬୨୦ ସିସିଟିଭି କ୍ୟାମେରା ଲାଗିବ ବୋଲି ଜିଲ୍ଲାପାଳ କହିଛନ୍ତି।

Related Articles

Leave a Reply

Your email address will not be published.

Back to top button