ଲୋୟର ପିଏମ୍‌ଜିରେ ପରୀକ୍ଷାର୍ଥୀଙ୍କ ବିକ୍ଷୋଭ

ଭୁବନେଶ୍ୱର:  ଓଏସ୍‌ଏସ୍‌ସି ବିରୋଧରେ ଏକାଠି ହୋଇଛନ୍ତି ହଜାର ହଜାର ପରୀକ୍ଷାର୍ଥୀ। ପରୀକ୍ଷା ବିଭ୍ରାଟକୁ ନେଇ ଭୁବନେଶ୍ବର ଲୋୟର ପିଏମ୍‌ଜିରେ ପରୀକ୍ଷାର୍ଥୀ ଏକଜୁଟ୍‌ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଆର୍‌ଆଇ, ଏଆର୍‌ଆଇ, ଅମିନ, ଆଇସିଡିଏସ୍‌ ପରୀକ୍ଷା ଆଦି ବାତିଲ ଦାବିରେ ଏହି ବିକ୍ଷୋଭ କରାଯାଇଛି। ଏଥିସହିତ ଏକାଧିକ ପରୀକ୍ଷାରେ ଗୁରୁତର ତ୍ରୁଟି ଅଭିଯୋଗ ଆଣି ପରୀକ୍ଷାର୍ଥୀମାନେ ଗର୍ଜନ କରିଛନ୍ତି। ଏହି ବିଭ୍ରାଟରେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ଦାବି କରିଛନ୍ତି ପରୀକ୍ଷାର୍ଥୀ।ସମଗ୍ର ରାଜ୍ୟରେ ଓଏସ୍‌ଏସ୍‌ସି ପରିଚାଳିତ ଷ୍ଟାଟିଷ୍ଟିକାଲ ଆସିଷ୍ଟାଣ୍ଟ ପରୀକ୍ଷା ରବିବାର ଅନୁଷ୍ଠିତ ହୋଇଥିଲା। ତେବେ ବାଲେଶ୍ୱରର ଗୋପାଳଗାଁସ୍ଥିତ ପ୍ରଜ୍ଞାଭାରତୀ ସ୍କୁଲ ପରୀକ୍ଷା କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଶ୍ନପତ୍ର ସିଲ୍‌ ଖୋଲାଯାଇଥିବା ଅଭିଯୋଗ ହୋଇଥିଲା। ପ୍ରଶ୍ନପତ୍ର ପ୍ୟାକେଟ୍‌ ଖୋଲାଥିବା ଅଭିଯୋଗ ଆଣିଥିବା ପରୀକ୍ଷାର୍ଥୀଙ୍କୁ କେନ୍ଦ୍ର ପରିଚାଳକ ଏକ ରୁମ୍‌ରେ ଅଟକ ରଖିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ ହୋଇଥିବା କହିଛନ୍ତି। ପରୀକ୍ଷା ହଲ୍‌ ମଧ୍ୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଯିବା ନିୟମ ଥିବା ବେଳେ ବାଲେଶ୍ୱରର ଗୋପାଳ ଗାଁ ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଆରମ୍ଭର ବହୁ ପୂର୍ବରୁ ସିଲ୍‌ ଖୋଲାଯାଇ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ପରୀକ୍ଷାର୍ଥୀ ଅଭିଯୋଗ କରିଛନ୍ତି। ଜଣେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ମୁତାବକ, ପରୀକ୍ଷା ହଲ୍‌ରେ ବସିଥିବା ସମୟରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ପାଇଲୁ। ଏ ସମ୍ପର୍କରେ ଅଭିଯୋଗ କରିବାରୁ ପ୍ରଶ୍ନପତ୍ର ପ୍ୟାକେଟ ସେପରି ଆସିଥିବା ଜଣେ ଶିକ୍ଷୟିତ୍ରୀ କହିଥିଲେ। ବିଶ୍ୱାସ ନ ହେବାରୁ ସିସି କ୍ୟାମେରା ଦେଖିବାକୁ କହିଥିଲୁ। ଏହି ପରୀକ୍ଷା ପାଇଁ ପୂର୍ବାହ୍ନ ସାଢ଼େ ୧୦ଟାରୁ ୧୨ଟା ପର୍ୟ୍ୟନ୍ତ ସମୟ ନିର୍ଦ୍ଧାରଣ କରାଯାଇଥିଲା। ମାତ୍ର ସିସିଟିଭିରେ ସାଢ଼େ ୯ଟାରେ ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଦେଖିବାକୁ ମିଳିଥିଲା। ଏନେଇ ପୋଲିସ୍‌କୁ ଜଣାଇବାକୁ ଚାହିଁବାରେ ତାଙ୍କୁ ବାହାରକୁ ଛଡ଼ା ଯାଇ ନ ଥିଲା। ଏପରିକି ଏକ ରୁମ୍‌ରେ ଅଟକ ରଖାଯିବାରୁ ସେ ପରୀକ୍ଷା ଦେବାରୁ ବଞ୍ଚିତ  ହୋଇଥିବା କହିଥିଲେ। ଅପରପକ୍ଷରେ ପରୀକ୍ଷାର୍ଥୀଙ୍କ ଅଭିଯୋଗ ସମ୍ପୂର୍ଣ୍ଣ ଭିତ୍ତିହୀନ। ପରୀକ୍ଷାରେ କୌଣସି ବ୍ୟତିକ୍ରମ ହୋଇନାହିଁ ବୋଲି କେନ୍ଦ୍ରର ପରିଚାଳକକହିଥିଲେ।

Related Articles

Leave a Reply

Your email address will not be published.

Back to top button