ଗାନ୍ଧୀ ମାର୍ଗରେ ହେବ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ

ଭୁବନେଶ୍ୱର:ଚଳିତବର୍ଷର ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମ ମହାତ୍ମା ଗାନ୍ଧୀ ମାର୍ଗରେ ପାଳନ କରାଯିବ। ରାଜ୍ୟ ଗୃହ ବିଭାଗ ଏବଂ ସୂଚନା ଓ ଲୋକସମ୍ପର୍କ ବିଭାଗ ସହିତ ସୋମବାର ଅନୁଷ୍ଠିତ ଏକ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହି ନିର୍ଦ୍ଦେଶ ଦେଇଛନ୍ତି।ବୈଠକର ଆଲୋଚନାରୁ ଜଣାଯାଇଛି, ଚଳିତବର୍ଷ ପରେଡରେ ସ୍କୁଲ-କଲେଜ ଓ ପୋଲିସ ବାହିନୀର କଣ୍ଟିଜେଣ୍ଟକୁ ମିଶାଇ ପ୍ରାୟ ୪୦ଟି କଣ୍ଟିଜେଣ୍ଟ ଅଂଶଗ୍ରହଣ କରିବେ। ମୁଖ୍ୟମନ୍ତ୍ରୀ ସକାଳ ୯ଟା ସମୟରେ ପତାକା ଉତ୍ତୋଳନ କରି ଜନସାଧାରଣଙ୍କୁ ଉଦ୍‌ବୋଧନ ଦେବେ। ଏହାପରେ ସମ୍ମିଳିତ ପରେଡରେ ଅଭିବାଦନ ଗ୍ରହଣ କରିବେ। ଏହି ଅବସରରେ ଜିଲାସ୍ତରର ସ୍ବାଧୀନତା ଦିବସ ପାଳନ କାର୍ଯ୍ୟକ୍ରମ ପାଇଁ ଅଧିକ ଅର୍ଥର ବରାଦ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ସ୍ବାଧୀନତା ଦିବସ ଏକ ଜାତୀୟ କାର୍ଯ୍ୟକ୍ରମ। ସାରା ଦେଶବାସୀଙ୍କ ପାଇଁ ଖୁସି ଓ ଉତ୍ସବର ଦିବସ। ଏହାକୁ ମହାସମାରୋହରେ ପାଳନ କରିବା ପାଇଁ ସେ ପରାମର୍ଶ ଦେଇଛନ୍ତି। ବୈଠକରେ ଗୃହ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଓରଞ୍ଜନ କୁମାର ସିଂହ, ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ, ଗୃହ ବିଭାଗର ସ୍ବତନ୍ତ୍ର ସଚିବ ସନ୍ତୋଷ ବାଲା ଓ କଟକ-ଭୁବନେଶ୍ବରର ପୋଲିସ କମିଶନର ସଞ୍ଜୀବ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।

Related Articles

Leave a Reply

Your email address will not be published.

Back to top button