ମେ’ ୧୫ ପର୍ଯ୍ୟନ୍ତ ଏଏସଆଇ କୀର୍ତ୍ତିରାଜି ଓ ସଂଗ୍ରହାଳୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ

ନୂଆଦିଲ୍ଲୀ: ଦେଶରେ କୋଭିଡ୍ ସଂକ୍ରମଣ ହୁ ହୁ ହୋଇ ବଢ଼ିଚାଲିଥିବାରୁ ବିଭିନ୍ନ ଧର୍ମାନୁଷ୍ଠାନ ଉପରେ କଟକଣା ଲଗାଯାଇସାରିଛି।  ଉତ୍ତର ପ୍ରଦେଶର ବାରାଣସୀସ୍ଥିତ ୩ଟି ମନ୍ଦିରରେ ପ୍ରବେଶ କରିବାକୁ ଚାହୁଁଥିବା ଭକ୍ତମାନଙ୍କୁ ୭୨ ଘଣ୍ଟା ମଧ୍ୟରେ ଆଟି-ପିଆସିଆର୍ ଟେଷ୍ଟ୍ କରାଇଥିବାରର ଆବଶ୍ୟକତା ଥିବା ଜରୁରୀ ବୋଲି କୁହାଯାଇଛି। ସେହିପରି କୋରୋନା ସଂକ୍ରମିତଙ୍କ ସଂଖ୍ୟା ଉଦବେଗଜନକ ଭାବେ ବଢ଼ୁଥିବାରୁ ଭାରତୀୟ ପ୍ରତ୍ନତାତ୍ତ୍ବିକ ସର୍ବେକ୍ଷଣ (ଏଏସଆଇ)ର ସମସ୍ତ କୀର୍ତ୍ତିରାଜି ଓ ସଂଗ୍ରହାଳୟକୁ ମେ’ ୧୫ ପର୍ଯ୍ୟନ୍ତ ପର୍ଯ୍ୟଟକମାନଙ୍କ ଦର୍ଶନ ପାଇଁ ବନ୍ଦ କରିଦିଆଯାଇଛି। ଏପରି ନିର୍ଦେଶନାମା କେନ୍ଦ୍ର ସଂସ୍କୃତି ମନ୍ତ୍ରାଳୟ ପକ୍ଷରୁ ଦିଆଯାଇଥିବା ବେଳେ ଏହାକୁ ତୁରନ୍ତ ଲାଗୁ କରିବା ସକାଶେ ମଧ୍ୟ ଗୁରୁବାର ନିର୍ଦେଶ ଦିଆଯାଇଛି। ଏନେଇ ଏଏସ୍ଆଇ ପକ୍ଷରୁ ମଧ୍ୟ ଟ୍ବିଟର୍ ମାଧ୍ୟମରେ ସୂଚନା ଦିଆଯାଇଛି ଓ ଏହି ଟ୍ବିଟକୁ କେନ୍ଦ୍ର ସଂସ୍କୃତି ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲ୍ ସନ୍ଧ୍ୟାରେ ରିଟ୍ବିଟ୍ ମଧ୍ୟ କରିଛନ୍ତି।

ଏହି ନିର୍ଦେଶ ଅନୁସାରେ ଦେଶର ୩ ହଜାର ୬୯୩ଟି କୀର୍ତ୍ତିରାଜି ଓ ୫୦ଟି ସଂଗ୍ରହାଳୟ ଦର୍ଶକମାନଙ୍କ ପାଇଁ ବନ୍ଦ ରହିବ। ଏନେଇ ଏଏସ୍ଆଇ ପକ୍ଷରୁ ଟ୍ବିଟର ମାଧ୍ୟମରେ କୁହାଯାଇଛି ଯେ ସାମ୍ପ୍ରତିକ ସମୟରେ ଯେପରି ଭାବେ କୋଭିଡ୍ ପରିସ୍ଥିତି ବିପଜ୍ଜନକ ରୂପ ନେଉଛି, ସେପରି ସ୍ଥିତିରେ କୀର୍ତ୍ତିରାଜି ପରିବର୍ତ୍ତନ ବିପଦପୂର୍ଣ୍ଣ ଓ ଆଦୌ ସୁରକ୍ଷିତ ନୁହେଁ। ତେଣୁ ଏଏସଆଇ ଅଧୀନରେ ଥିବା ସମସ୍ତ କୀର୍ତ୍ତିରାଜି, କୀର୍ତ୍ତିସ୍ଥଳ ଓ ସଂଗ୍ରହାଳୟ ଆଦିକୁ ଆସନ୍ତା ମେ’ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯିବ ବୋଲି ଏଏସ୍ଆଇ ପକ୍ଷରୁ କୁହାଯାଇଛି। ଏହି ନିର୍ଦେଶ ଅନୁସାରେ ଓଡ଼ିଶାର ପୁରୀର ଜଗନ୍ନାଥ ମନ୍ଦିର ଓ ସୋମନାଥ ମନ୍ଦିରରେ ଦୈନନ୍ଦିନ ପୂଜାବିଧି ସମ୍ପନ୍ନ ହେବ। କିନ୍ତୁ ମନ୍ଦିର ଭିତରକୁ କୌଣସି ପ୍ରକାର ଭକ୍ତଙ୍କୁ ଛଡ଼ାଯିବ ନାହିଁ ବୋଲି ସଂସ୍କୃତି ମନ୍ତ୍ରାଳୟର ଗଣମାଧ୍ୟମ ଉପଦେଷ୍ଟା ନୀତିନ୍ ତ୍ରିପାଠୀ କହିଛନ୍ତି। ଗତ ବର୍ଷ ମଧ୍ୟରେ ଏଏସ୍ଆଇ କୋରୋନା ସଂକ୍ରମଣ ପରିପ୍ରେକ୍ଷୀରେ ସମସ୍ତ କୀର୍ତ୍ତିରାଜି ଓ କୀର୍ତ୍ତିସ୍ଥଳକୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରିଦେଇଥିଲା। ଗତ ବର୍ଷ ମାର୍ଚ୍ଚ ୧୭ ତାରିଖଠାରୁ ଏହି କଟକଣା ଆରମ୍ଭ ହୋଇଥିବା ବେଳେ ଗତ ବର୍ଷ ଜୁଲାଇରେ ଏହିସବୁ କୀର୍ତ୍ତିରାଜିକୁ ଜନସାଧାରଣଙ୍କ ପାଇଁ  କେତେକ କଟକଣା ସହ ଖୋଲାଯାଇଥିଲା। ପରେ କଟକଣାଗୁଡ଼ିକୁ କ୍ରମଶଃ କୋହଳ କରାଯାଇଥିଲା।

Related Articles

Leave a Reply

Your email address will not be published.

Back to top button