ମହାରାଷ୍ଟ୍ରରେ ୧୫ ଦିନିଆ ଜନତା କର୍ଫ୍ୟୁ

ମୁମ୍ବାଇ: ମହରାଷ୍ଟ୍ରରେ କୋରୋନା ସଂକ୍ରମଣ ଉଦବେଗଜନକ ସ୍ଥିତିରେ ରହିଥିଲା ବେଳେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ରାଜ୍ୟରେ ୧୫ ଦିନିଆ ଜନତା କର୍ଫ୍ୟୁ ଜାରି କରିଛନ୍ତି। ଏପ୍ରିଲ ୧୪ ତାରିଖ ରାତି ୮ଟାରୁ ମେ ୧ ତାରିଖ ସକାଳ ପର୍ଯ୍ୟନ୍ତ ଜନତା କର୍ଫ୍ୟୁ ବଳବତ୍ତର ରହିବ ବୋଲି ଘୋଷଣା କରିଛନ୍ତି। ଆଉ ଏହି ଜନତା କର୍ଫ୍ୟୁ ନେଇ ମଧ୍ୟ ସବିଶେଷ ଏସଓପି ଜାରି କରି ଏହାକୁ ପାଳନ କରିବା ପାଇଁ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ଏହି ସମୟରେ କେବଳ ଜରୁରୀ ସେବାକୁ ଛାଡ଼ି ଆଉ ସବୁ କିଛି ବନ୍ଦ ରହିବ। କେବଳ ଜରୁରୀ ସେବାରେ ଥିବା ଲୋକମାନେ ସାଧାରଣ ପରିବହନ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ‘ବ୍ରେକ୍‌ ଦି ଚେନ୍‌’ ଅଭିଯାନ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ଏହି ଅଭିଯାନ ଅନୁଯାୟୀ ବୁଧବାର ରାତି ୮ଟାରୁ ମହାରାଷ୍ଟ୍ରରେ ୧୪୪ ଧାରା ମଧ୍ୟ ଲାଗୁ ହେବ। ଯଥେଷ୍ଟ କାରଣ ନ ଥାଇ କେହି ବି ରାସ୍ତାକୁ ବାହାରି ପାରିବେ ନାହିଁ। କର୍ଫ୍ୟୁ ବେଳେ ଇ-କର୍ମସ, ମେଡିକାଲ, ବ୍ୟାଙ୍କ ଓ ପେଟ୍ରୋଲ ପମ୍ପ ଖୋଲା ରହିବ। ଗଣମାଧ୍ୟମ ପ୍ରତିନିଧିଙ୍କ ଯିବା ଆସିବାରେ କୌଣସି କଟକଣା ଲାଗୁ ହେବନାହିଁ। ଘରୋଇ ଗାଡ଼ିଗୁଡ଼ିକ କେବଳ ଜରୁରୀ ଓ ଅତ୍ୟାବଶ୍ୟକ ସେବା ପାଇଁ ଚାଲି ପାରିବ। ଅଟୋରେ ଡ୍ରାଇଭରଙ୍କ ସହ ଦୁଇ ଜଣ ଯାତ୍ରୀ ଓ ଟ୍ୟାକ୍ସିରେ ଡ୍ରାଇଭରଙ୍କ ସହ କ୍ଷମତାର ୫୦% ଯାତ୍ରୀ ଯାଇପାରିବେ। ବସ୍‌ ପୂର୍ଣ୍ଣ କ୍ଷମତାରେ ଚାଲିବ, କିନ୍ତୁ କେହି ଛିଡ଼ା ହୋଇ ଯାତ୍ରା କରିପାରିବେ ନାହିଁ। ଟ୍ରେନ ଓ ବିମାନ ସେବା ବନ୍ଦ ହେବ ନାହିଁ ପୂର୍ବପରି କୋରୋନା କଟକଣା ଭିତରେ ଚାଲିବ। ସ୍କୁଲ ଓ କଲେଜ ଖୋଲିବ ନାହିଁ। ଘରୋଇ କୋଚିଂ ସେଣ୍ଟର ବନ୍ଦ ରହିବ। ରେସ୍ତୋରାଁ କେବଳ ପାର୍ସଲ ବ୍ୟବସ୍ଥା ରହିବ, କେହି ବସି ଡାଇନିଙ୍ଗ ହଲରେ ଖାଇପାରିବେ ନାହିଁ। ସିନେମା ହଲ, ଡ୍ରାମା କ୍ଲବ, ଜିମ, ସୁଇମିଂ ପୁଲ, ଥିଏଟର ଓ ପାର୍କ ବନ୍ଦ ରହିବ। ସେଲୁନ, ସ୍ପା, ବିୟୁଟି ପାର୍ଲର ଖୋଲିବ ନାହିଁ। ୨୫ ଜଣଙ୍କୁ ନେଇ ବାହାଘର ଓ ୨୦ ଜଣ ଲୋକଙ୍କୁ ନେଇ ଶୁଦ୍ଧିକ୍ରିୟା କରାଯାଇ ପାରିବ। ସମସ୍ତ ଧର୍ମାନୁଷ୍ଠାନରେ ତାଲା ପଡ଼ିବ, ସମସ୍ତଙ୍କ ପାଇଁ ପ୍ରବେଶ ମନା ବୋଲି ଗାଇଡଲାଇନ ଜାରି ହୋଇଛି।

Related Articles

Leave a Reply

Your email address will not be published.

Back to top button